ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଅକଳ୍ପନୀୟ ପରିବର୍ତନ ଆସିପାରିବ । ଆମ ନୈତିକତାରେ ସୁଧାର ଓ ପରିବର୍ତନ ସହ ପ୍ରଯୁକ୍ତି ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ଦୁର୍ନୀତି ନିବାରଣ ସଫଳ ହୋଇପାରିବ ବୋଲି ସେ କହିଥିଲେ ।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଅନୁରୂପ ଭାବେ ଚେତନାରେ ପରିବର୍ତନ ଆଣିବାକୁ ମତ ଦେଇଥିଲେ । ସେ କହିଥିଲେ ଅନେକ ସମୟରେ ସଚ୍ଚୋଟ ବ୍ୟକ୍ତିମାନେ ମଧ୍ୟ ପ୍ରଲୋଭିତ ହୋଇ ଦୁର୍ନୀତି ପଥର ପଥିକ ହୋଇଯାଆନ୍ତି । ସତ୍ୟନିଷ୍ଠ ଓ ଆତ୍ମ- ନିର୍ଭରତା ସେମାନଙ୍କ ପାଇଁ ଅଦରକାରୀ ହୋଇଯାଏ । ତେଣୁ ନିରବଚ୍ଛିନ୍ନ ଚେତନା ଜାଗରଣ ବ୍ୟକ୍ତିର ମାନସିକତା ଓ ବିବେକରେ ପରିବର୍ତନ ଆଣେ । ଏଥିପାଇଁ କେବଳ ସରକାରୀ ବ୍ୟବସ୍ଥା ଉପରେ ନିର୍ଭରଶୀଳ ନ ହୋଇ ବରଂ ସମାଜରେ ପ୍ରତ୍ୟେକ ଲୋକ ପରସ୍ପରର ପରିପୂରକ ଭାବରେ ସାମୁହିକ ସହଯୋଗ ସୂତ୍ରକୁ ଆପଣେଇବା ଉଚିତ୍ । ତଦ୍ଦ୍ୱାରା ଦୁର୍ନୀତିର କଳା ବାଦଲ ଧୀରେ ଧୀରେ ଅପସରି ଯିବ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଶ୍ରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ଆଦି ନିଜର ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମାଜରେ ହେଉଥିବା ଦୁର୍ନୀତି ବିଷୟରେ ବିଭିନ୍ନ ଉଦାହରଣ ଦେଇ ସମାଲୋଚନା କରିଥିଲେ। ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ଉପ ଆରକ୍ଷୀ ଅଧୀକ୍ଷକ(ଦୁର୍ନୀତି ନିବାରଣ) ଶ୍ରୀ ଶ୍ରୀକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related posts