ଗଢ଼ାହେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ନିବାରଣ ଓ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କଫୋର୍ସ ଢାଂଚାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ ହେବ । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ବିଶେଷକରି ଗ୍ରାମାଂଚଳରେ ଝିଅମାନେ ସଅଳ ବିବାହ କରୁଥିବା କଥାକୁ ରୋକିବା ସହ ଝିଅମାନଙ୍କ ଉଚ୍ଚଶିକ୍ଷା ଓ ସ୍ୱାବଲମ୍ବୀ ହେବା ନିମନ୍ତେ ସଚେତନତା ସୃଷ୍ଟି କରିବେ । ଏହା ସହ କନ୍ୟା ଭୃଣହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଗ୍ରାଧିକାର ଦିଆଯିବ । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଆହୁତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର ସୂଚନା ଅନୁସାରେ କନ୍ୟା ଭୃଣହତ୍ୟା ନିରୋଧ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି ଓ ପୋଲିସ ପ୍ରଶାସନ ଦ୍ୱାରା ତୀକ୍ଷଣ ଅନୁଧ୍ୟାନ ସତ୍ୱେ ଅନେକ କ୍ଷେତ୍ରରେ ଲୋକେ କନ୍ୟା ଭୃଣହତ୍ୟା ପରି ଅପରାଧ କରୁଛନ୍ତି । ଏପରିକି ଛଅମାସର ଗର୍ଭକୁ ମଧ୍ୟ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍ ଜରିଆରେ ନଷ୍ଟ କରି ଦିଆଯାଉଛି । ଜିଲ୍ଲାରେ ଲିଙ୍ଗ ଅନୁପାତ ହାର ସନ୍ତୋଷ ଜନକ ଥିଲେ ମଧ୍ୟ ଯେଉଁ କେତେକ ସ୍ଥାନରେ ଏପରି ଆଇନ ବିରୁଦ୍ଧ କାର୍ଯ୍ୟ କରାଯାଉଛି ତାହାକୁ ସଂପୂର୍ଣ ମୂଳପୋଛ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ତଥ୍ୟ ମୁତାବକ ୨୦୧୧ ଜନଗଣନା ଅନୁସାରେ ଜନ୍ମରୁ ୬ବର୍ଷ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ ପୁଅ ଓ ଝିଅଙ୍କ ଲିଙ୍ଗଗତ ହାର ୯୧୯ ଥିଲାବେଳେ ଓଡ଼ିଶାରେ ୯୪୧ ଓ ନୟାଗଡ଼ ଜିଲ୍ଲାରେ ୮୫୫ ଅଟେ । ଏହି କ୍ରମରେ ସମୁଦାୟ ପୁଅଙ୍କ ସଂଖ୍ୟା ୫୭୫୯୯ ଓ ଝିଅଙ୍କ ସଂଖ୍ୟା ୪୯୨୭୨ । ୨୦୧୧ ଜନଗଣନା ଅନୁସାରେ ସବୁ ବୟସ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ସଂଖା ନୟାଗଡ଼ ଜିଲ୍ଲାରେ ଯଥାକ୍ରମେ ୫୦୨, ୬୩୬ ଓ ୪୬୦,୧୫୩ ଏବଂ ଲିଙ୍ଗ ଅନୁପାତ ୯୧୫ ଅଟେ । ସେହିପରି ୨୦୧୨-୧୩ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ( ସବୁ ବୟସ ଓ ବର୍ଗ) ପାଇଁ ଲିଙ୍ଗ ଅନୁପାତ ୯୫୭ ଥିଲାବେଳେ ଏହି ସର୍ଭେର ଜନ୍ମରୁ ୪ବର୍ଷ ବୟସ ପର୍ଯ୍ୟନ୍ତ ବର୍ଗ ପାଇଁ ଲିଙ୍ଗ ଅନୁପାତ ୮୩୮ ଓ ଜନ୍ମ ସମୟରେ ୮୩୧ ଥିଲା । ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୪ ୨୦୧୫-୧୬ ( ସବୁ ବୟସ ବର୍ଗ) ରିପୋର୍ଟରେ ଲିଙ୍ଗ ଅନୁପାତ ନୟାଗଡ଼ ଜିଲ୍ଲାରେ ୧୦୦୯ ଥିଲାବେଳେ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୪ ବିଗତ ୫ବର୍ଷର ରିପୋର୍ଟ ଅନୁସାରେ ଲିଙ୍ଗ ଅନୁପାତ ୭୨୫ ଥିଲା । ସମୀକ୍ଷାରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲାରେ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ପଂଜୀକରଣ ପାଇଁ ବା ରେଜିଷ୍ଟ୍ରେସନ ନବୀକରଣ ପାଇଁ ସମସ୍ତ ଆବେଦନ ଗୁଡ଼ିକୁ ଗ୍ରହଣ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ଓ ଗତ ଜାନୁଆରୀ ମାସରୁ ଅନଲାଇନ ବ୍ୟବସ୍ଥାରେ ଆବେଦନପତ୍ର ଗୁଡ଼ିକର ପଂଜୀକରଣ କରାଯାଉଛି । ଏହା ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅଲଟ୍ରାସାଉଣ୍ଡ୍ ଡାଏଗ୍ନୋଷ୍ଟିକ୍ କ୍ଲିନିକ୍ର ରେଫରାଲ ରିପୋର୍ଟ ଓ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍ ପାଇଁ ଫର୍ମ-୮କୁ ପରୀକ୍ଷା ଓ ତର୍ଜମା କରିବା ପାଇଁ ଏକ କ୍ୱାଲିଟି ଭେରିଫାଇଙ୍ଗ୍ କମିଟି ଗଠନ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଶକ୍ତିପ୍ରାସଦ ମିଶ୍ର, ଜିଲ୍ଲା ନୋଡାଲ ଅଫିସର ଡା.ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ପ୍ରୋଗ୍ରାମ ଅଫିସର(ସ୍ୱାସ୍ଥ୍ୟ) ଶ୍ରୀ ନିତ୍ୟ ରଂଜନ ବରାଳ, ଶ୍ରୀ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ସ୍କୁଲ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।