ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କଦଳୀବନ୍ଧ କମ୍ୟୁନିଟ ସେଣ୍ଟରଠାରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନକ୍ରମେ ଓଡ଼ଗାଁ ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଏକ ରାଲି କଦଳିବନ୍ଧଠାରୁ ବାହାରି ରଘୁନାଥ ମନ୍ଦିରଠାରେ ପହଞ୍ଚିଥିଲା । ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ଉପସଭାପତି ସୁମନ ଆଲଟିଆ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସଭାପତି ଅବକାଶ କାଠୁଆ, ଜିଲ୍ଲା ସମ୍ପାଦକ ସନ୍ତୋଷ ସାଥୁଆ, ଜିଲ୍ଲା ଉପସଭାପତି ପାଣୁ ଚରଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଓଡ଼ଗାଁ ବ୍ଲକ ଉପସଭାପତି ନିଳାଞ୍ଚଳ ପାଢ଼ୀ, ସନ୍ତୋଷ ଦୋରା ଏବଂ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଜନସାଧାରଣମାନଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା, ସମ୍ମାନ ଏବଂ ହକ ପାଇଁ ଲଢେଇ କରିବା, ପ୍ରତ୍ୟେକ ଡ୍ରାଇଭର ଭାଇ ପରସ୍ପର ମଧ୍ୟରେ ସହଯୋଗ ବଜାୟ ରଖିବା ସହ ଭାଇଚାରା ସୃଷ୍ଟି କରିବା ଏବଂ ଏକତା ହିଁ ବଳ ଆଧାରରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ସରକାର ଡ୍ରାଇଭରମାନଙ୍କ ଦାବୀ ନ ଶୁଣନ୍ତି ତେବେ ରାଜ୍ୟ ବ୍ୟାପି ଷ୍ଟେରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଅଛି । ଆଜିର ବୈଠକରେ ଓଡ଼ଗାଁ ସମେତ ରଣପୁର, ଇଟାମାଟି, ନୂଆଗାଁ, ଦଶପଲ୍ଲା ଆଦି ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଡ୍ରାଇଭର ସାମିଲ ଥିଲେ ।
ଓଡ଼ଗାଁ ରଘୁନାଥ କ୍ଷେତ୍ରରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ
![](https://nayagarhdarpan.com/wp-content/uploads/2021/10/IMG-20211020-WA0005-750x375-1-500x280.jpg)