ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ପାଳିତ, ବହୁ ବିଶିଷ୍ଠ ବ୍ୟକ୍ତି ଓ ସଂଗଠନକୁ ସମ୍ବର୍ଦ୍ଧନା


ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ସ୍ବର୍ଗତ ସାହୁ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ସେ କେବଳ ଲୋକପ୍ରିୟ ଜନନେତା ନଥିଲେ ଅନ୍ୟପକ୍ଷରେ ଏକାଧାରାରେ ଜଣେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ବୋଲି ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ ଏହି ମତ ପ୍ରକାଶ ପାଇଥିଲା । ଡ଼. ରଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଜନ୍ମସ୍ଥାନ ଇଟାମାଟିରେ ଅନୁଷ୍ଠିତ ଏହି ସମାବେଶକୁ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରବୀନ୍ଦ୍ର ରାଉତ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପିସିସି ରାଜ୍ୟ ସମ୍ପାଦକ ହୁସେନ୍ ଖାଁ, ବିଜେପି ନେତା ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ରମେଶ ଚନ୍ଦ୍ର ପଟ୍ଟନାୟକ,ଶରତ ଚନ୍ଦ୍ର ସାହୁ,ହରପ୍ରସାଦ ରଣସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବଂଶୀଧରଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସିପିଏମ୍ ନେତା ବିଶ୍ୱନାଥ ମହାପାତ୍ର ମଧ୍ୟ ଅଭିଭାଷଣ ରଖିଥିଲେ । ତାଙ୍କ ଉଦ୍ୟମରେ ଇଟାମାଟିରେ ୨ଟି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ବୋଲି ଅତିଥିମାନେ କହିଥିଲେ । ସେହିଭଳି ତାଙ୍କର ଉଦ୍ୟମରେ ଶିଳ୍ପହୀନ ନୟାଗଡ଼ ଜିଲାର ପାଣିପୋଇଲା ଠାରେ ଚିନି କାରଖାନା ପ୍ରତିଷ୍ଠା ହୋଇଥିଲା । ଅନ୍ୟପକ୍ଷରେ, ବୃତ୍ତଙ୍ଗ ବହୁମୁଖି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ସେ ବିଧାୟକ ଥିଲା ବେଳେ ଅନେକ ପ୍ରଚେଷ୍ଟା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ପ୍ରଦର୍ଶନ କରିଥିବା ବିଶିଷ୍ଟ ବ୍ୟକ୍ତି, ସଂଗଠନକୁ ଏହି ଅବସରରେ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ‘ସମାଜ’ର ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଦାମୋଦର ସାହୁ, ବସନ୍ତ କୁମାର କର, ସାମାଜିକ ସଂଗଠନ ‘ଅନ୍ୟନ୍ୟା’ ଓ ‘ହେଲପିଙ୍ଗ ହ୍ୟାଣ୍ଡ’,ଚିକିତ୍ସା ସେବା କ୍ଷେତ୍ରରେ ଡ଼.ରାଜକିଶୋର ବରାଡ଼ ଏବଂ ସର୍ବଭାରତୀୟ ‘ଡାଜେଲ’ ସୁନ୍ଦରୀ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ସୁଶ୍ରୀ ପ୍ରଜ୍ଞା ପ୍ରଣୀତାଙ୍କ ସମେତ ୧୧ଜଣ ବିଶିଷ୍ଟ ବ୍ୟକ୍ତି ଏବଂ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related posts