ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସଭାଗୃହ ପରିସରରେ ସମିତିର ତ୍ରୟୋଦଶ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଯୋଗାଣ ଏବଂ ଯୋଗ୍ୟହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦେବା ନେଇ ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଲୋକାଭିମୁଖୀ ଯୋଜନାର ସୁଫଳ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଳକର ବିଭିନ୍ନ ଗ୍ରାମରେ ପାନୀୟଜଳ ଯୋଗାଣ ନେଇ ବୈଠକରେ ଅଭିଯୋଗ ହୋଇଥିଲା। ବିଧାୟକ ଶ୍ରୀଯୁକ୍ତ ବେହେରା ପାନୀୟଜଳ ପାଇବାରୁ ବଞ୍ଚିତ ଗ୍ରାମର ଲୋକଙ୍କୁ ୭ଦିନ ମଧ୍ୟରେ ପାନୀୟଜଳ ଯୋଗାଇଦେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍ କରିଥିଲେ।ସେହିପରି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ସମସ୍ୟାର ସମାଧାନ ସହିତ ଯେପରି ସମସ୍ତ ଜନସାଧାରଣଙ୍କୁ କରୋନା ଟୀକା ପ୍ରଦାନ କରାଯିବ ସେ ଦିଗରେ ଯତ୍ନବାନ ହେବାପାଇଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସାଧାରଣ ବୈଠକରେ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବି. ଡି.ଓ ପ୍ରମୋଦ କୁମାର ନାୟକ, ୧୭ ନଂ ଜିଲ୍ଲାପରଷଦ ସଭ୍ୟ ସୁଦୀପ୍ତ ରାୟଙ୍କ ସମେତ ସମସ୍ତ ୨୨ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

