ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାର ପାଇଁ ଚାଷୀଙ୍କ ବିକ୍ଷୋଭ

ନୟାଗଡ,(୨୮/୦୯): ସୋଲପଟା ରଘୁନାଥପୁର ସେବା ସମବାୟ ସମିତିର ଚାଷୀମାନଙ୍କୁ ସର୍ବନିମ୍ନ ସାର ଯୋଗାଇବାରେ ବିଫଳତା ପ୍ରତିବାଦରେ ଆଜି ବହୁ ଚାଷୀ ତ୍ରିନାଥ ଛକଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଆମକୁ ସାର ଦିଅ ସ୍ଲୋଗାନ ବାଜି କରିଥିଲେ l ଚଳିତ ଖରିଫ ଋତୁରେ ସମିତି ସମ୍ପାଦକ ମାତ୍ର ୧୫୦ବସ୍ତା ସାର ମାର୍କଫେଡ଼ରୁ ଉଠାଇ ଥିବା ବେଳେ ଉଭୟ ଗ୍ରାମର ପ୍ରାୟ ହଜାରେ ଚାଷୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଥିଲା l ସାର ଅଭାବ କାରଣରୁ ଧାନଫସଲ ବାଧାପ୍ରାପ୍ତ ଯୋଗୁଁ ଆଜି ପ୍ରବଳ ବର୍ଷା ସତ୍ୱେ ପୁରୁଷ ମହିଳା ଚାଷୀମାନେ ଦୀର୍ଘ ୩ଘଣ୍ଟା ଧରି ଜିଲ୍ଲାପାଳଙ୍କ ଫାଟକ ଆଗରେ ଧାରଣା ଦେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଏବଂ ଏଆରସିଏସ ଆସି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ସମିତି ମାଧ୍ୟମରେ ୨୫୦ ବସ୍ତା ସାର ଚାଷୀମାନଙ୍କ ମଧ୍ୟରେ ଠିକଭାବେ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l ଆସନ୍ତାକାଲି ସୋଲପଟା ସରପଞ୍ଚ ସୁଶାନ୍ତ କୁମାର ଜେନାଙ୍କ ଉପସ୍ଥିତିରେ ସମସ୍ତ ଚାଷୀଙ୍କୁ ସାର ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି। ସୋଲପଟା ସେବା ସମବାୟ ସମିତିର ସlରକିଣିବା ପାଇଁ ଲାଇସେନ୍ସ ନବୀକରଣ କରାଇବାରେ ଏକମାସ ବିଳମ୍ବ ହୋଇଥିବା କାରଣରୁ ସାର ଯୋଗାଣ ବନ୍ଦ ଥିଲା ବୋଲି ଏଆରସିଏସ ଭାସ୍କର ପାଣିଗ୍ରାହୀ ଆନ୍ଦୋଳନକାରି ଚାଷୀଙ୍କୁ ବୁଝାଇ ଥିଲେ l ଚାଷୀ ନେତା ଲଷ୍ମଣ ଜେନା ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ l

Related posts