ଛେଳି ଗୋଠ ଉପରେ ଚଢ଼ିଗଲା ହାଇୱା, ୬୦ ମୃତ, ୩୦ ଆହତ

ଓଡ଼ଗାଁ(୨୨/୦୯): ଗତକାଲି ବିଲମ୍ବିତ ରାତିରେ ଛେଳି ଗୋଠ ଉପରେ ଚଢ଼ିଗଲା ହାଇୱା । ହାଇୱା ଧକ୍କାରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଅଛି ଓଡ଼ଗାଁ- ବାହାଡଝୋଲା ମୁଖ୍ୟ ରାସ୍ତାରେ । ସୂଚନା ଅନୁଯାୟୀ ଗତକାଲି ବିଳମ୍ୱିତ ରାତିରେ ଗୌଡ଼ପୁଟ ଗୋଲାସାହିର ସୁବାସ ପାତ୍ର ଶୂଳିଆ ଜଙ୍ଗଲରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛେଳି ଧରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ ନଂ ଓଡ଼ି୨୫ଜି୭୨୯୨ ବିଶିଷ୍ଟ ଗାଡି ଛେଳି ଗୋଠ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ୬୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଛେଳି ଗୁରୁତର ଭାବେ ଆହତ ମଧ୍ୟ ହେଇଛନ୍ତି । ସ୍ଥାନୀୟ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଅଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ହାଇୱାଟି ଶରଣକୁଳ ଅଞ୍ଚଳର ବୋଲି ଜଣାପଡିଛି ।

Related posts