ଓଡଗାଁ,(୧୮/୦୯): ଓଡଗାଁ ରେ ନବ ନିର୍ମିତ ଦେୱାନୀ ଏବଂ ଫୌଜଦାରୀ ବିଚାରାଳୟର କୋଠା ଉଦଘାଟିତ ହୋଇଯାଇଛି . ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ଆଜି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଭିନୀତ୍ ଶରଣ ଦେୱାନୀ ଏବଂ ଫୌଜଦାରୀ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମାନ୍ୟବରଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା । ପ୍ରଥମେ ସେ ଶରଣକୁଳ ସ୍ଥିତ ଶ୍ରୀ ଲଡୁବାବାଙ୍କ ଦର୍ଶନ ସାରିବା ପରେ ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲେ ,ସେଠାରେ ବିଚାରପତି ଭିନିତ୍ ଶରଣ ସ୍ବତନ୍ତ୍ର ଦର୍ଶନ କରିବା ଅବସରରେ ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିବା ସହିତ ମନ୍ଦିରର କାରୁକାର୍ଯ୍ୟକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ମାନ୍ୟବର ବିଚାରପତି ମନ୍ଦିରର ଉଚ୍ଚତା ପଚାରି ବୁଝିବା ସହିତ ବିଭିନ୍ନ ଠାକୁରଙ୍କୁ ଦେଖି ଆନନ୍ଦିତ ହୋଇଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ମୁଖ୍ୟ ବିଚାରପତି ଭିନିତ୍ ଶରଣଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଭିନୀତ୍ ଶରଣ ସିଭିଲ କୋର୍ଟର ମୁଖ୍ୟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ବାର ଆସୋସିଏସନ ଗୃହ, ଅତିଥି ଭବନ, ଲାଇବ୍ରେରୀ, ଷ୍ଟାଫ କ୍ୱାଟରର ନୂତନ ଗୃହକୁ ଉଦ୍ଘାଟନ କରିଥିଲେ । ଏହା ସହିତ ମହାତ୍ମା ଗାନ୍ଧୀଙ୍କ ମୂର୍ତିର ଅନାବରଣ କରିଥିଲେ। ଓଡ଼ଗାଁ ପୁଷ୍ପଭଣ୍ଡାର ସାହିର ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ହସ୍ତରେ ନିର୍ମିତ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବାଲୁକା କୀର୍ତ୍ତିରାଜିର ଉଚ୍ଚ ପ୍ରସଂଶା କରିଥିଲେ । ପରେ ପରେ ଆୟୋଜିତ ସଭାରେ ଓଡ଼ଗାଁ ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ ସଭାପତିତ୍ୱ କରିଥିବାବେଳେ, ଜଷ୍ଟିସ ସରଣ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ,ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ .ମୁରଲୀଧର,ଜଷ୍ଟିସ ବିଶ୍ୱଜିତ ମହାନ୍ତି , ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ, ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ ଦେଵବ୍ରତ ଦାସ , ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ବିଭୁପ୍ରସାଦ ରାଉତରାୟ , ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ, ମିସ ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତ ଥିବାବେଳେ ଜଷ୍ଟିସ ଏସ୍ କେ ସାହୁ ଏବଂ କେ ଆର ମହାପାତ୍ର ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଓଡଗାଁରେ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ
