ଦାଶରଥି ପଟ୍ଟନାୟକ (ଦାସିଆ ଅଜା)

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ । ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ । ମାଗିମାଗି ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ସଂଗ୍ରହ କରିବା ଥିଲା ତାଙ୍କର ନିଶା । ପ୍ରତି ଦିନ ଶହେରୁ ଅଧିକ ପୋଷ୍ଟ କାର୍ଡ଼ ଲେଖିବା ଥିଲା ତାଙ୍କର ଆଉ ଏକ ନିଶା । ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟ କାର୍ଡ ଥିଲା ପ୍ରେରଣା । ଗ୍ରାମୀଣ ପରିବେଶରେ ଥାଇ ସେ ଦେଖିଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ । ଏହି ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର ୨ ଲକ୍ଷରୁ ଅଧିକ ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ଗଚ୍ଛିତ ଅଛି । ଦାସିଆ ଅଜାଙ୍କୁ ଏହି ମହାନ୍ କାର୍ଯ୍ୟରେ ସହଯୋଗ କରିଥିଲେ ସହଧର୍ମିଣୀ ପୌର୍ଣମାସୀ ଦେବୀ । ୧୯୦୭ ଜୁଲାଇ ୧୨ ତାରିଖରେ ଦାସିଆ ଅଜା ଜନ୍ମ ଗ୍ରହଣ କରିଥିଲେ। ଆଜି ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ଦାଶରଥି ପଟ୍ଟନାୟକ: (୧୨ ଜୁଲାଇ ୧୯୦୭ – ୧୨ ସେପ୍ଟେମ୍ବର ୧୯୯୭) ଓଡ଼ିଶାର ଜଣେ ସଂଗ୍ରାହକ ଓ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା । ସେ ଦଶ ପଇସାର ରାଜା ଓ ଖୁଣ୍ଟାତଡ଼ା ରାଜା ଓ ଦାଶିଆ ଅଜା ଭାବରେ ମଧ୍ୟ ପରିଚିତ । ସେ ବାଞ୍ଛାନିଧି ପାଠାଗାର (୧୯୫୯), ଶ୍ରୀ ଅରବିନ୍ଦ ସଂଗ୍ରହାଳୟ (୧୯୭୩) ଓ ଯଦୁମଣି ସାହିତ୍ୟ ସଂସଦ (୧୯୭୫) ପ୍ରତିଷ୍ଠା କରିଥିଲେ । ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

୨୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ

ପ୍ରାରମ୍ଭିକ ଜୀବନ: ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ । ସେ, ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ସେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରିଥିଲେ, ପରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ ।

ବହି ସଂଗ୍ରହ: ବହି ପଢ଼ିବା ପାଇଁ ସେ ପର ଦିନ ପଢ଼ିବା ବହି ତା\’ ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିଲେ । ଦାସିଆ ଅଜା ପ୍ରତିଦିନ ଏକଶହରୁ ଉର୍ଦ୍ଧ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି ଲେଖକମାନଙ୍କୁ ପଠାଉଥିଲେ ।

ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ବାଞ୍ଛାନିଧି ପାଠାଗାର ସ୍ଥାପନା:
ନିଜର ସଂଗୃହୀତ ଜିନିଷସବୁକୁ ନେଇ ଦାସିଆ ଅଜା ନୟାଗଡ଼ର ନୂଆଗାଁରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ସ୍ଥାପନା କରିଥିଲେ । ନୟାଗଡ଼ରୁ ଦଶପଲ୍ଲା ଯିବା ରାସ୍ତାରେ (୫୭ନମ୍ବର ଜାତୀୟ ରାଜପଥ) ନୂଆଗାଁ ଠାରୁ ୪କିଲୋମିଟର ରାସ୍ତା ଡାହାଣପଟେ ଭିତରକୁ ଗଲେ ଏହି ସଂଗ୍ରହାଳୟ । ସଂଗ୍ରହଳାୟ ପରିସର ମଧ୍ୟରେ ବାଞ୍ଛାନିଧି ପାଠାଗାର ଓ ଯଦୁମଣି ସାହିତ୍ୟ ସଂସଦ ରହିଛି । ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି । ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ ୫ଟି ଶହେ ବର୍ଷ ପୁରୁଣା । ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ନିଜ ଜୀବିତ ଅବସ୍ଥାରେ ଦାଶରଥୀ ପଟ୍ଟନାୟକ, ଏହି ଅନୁଷ୍ଠାନ ଗୁଡିକର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଢିଯାଇଥିଲେ। ନୟାଗଡ଼ର ଜିଲ୍ଲାପାଳ, ଏହି ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବା ବେଳେ, ଦାସିଆ ଅଜାଙ୍କ ନାତି ଦୀପକ ଏହି ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି।

Related posts