ସିପିଆଇ(ଏମ୍) ନୟାଗଡ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(୦୯/୦୯): ନୟାଗଡ଼ ବ୍ଲକର ପ୍ରସିଦ୍ଧ ଝରଦେଈ ପୀଠରେ ସିପିଆଇଏମର ନୟାଗଡ଼ ଆଞ୍ଚଳିକ ସମ୍ମିଳନୀ ଶ୍ରମିକ ନେତା ଦୀନବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଲାଲ ଝଣ୍ଡା ଉତ୍ତୋଳନ ପୂର୍ବକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା ଆଇନ ଓ ଶ୍ରମିକ ବିରୋଧି ଶ୍ରମ କୋଡର ତୀବ୍ର ସମାଲୋଚନା କରିଥିଲେ । କରୋନା ମହାମାରୀକୁ ଏକ ସୁଯୋଗ ମନେ କରି ଅସ୍ୱାଭାବିକ ପରିସ୍ଥିତିର ଆଢ଼ୁଆଳରେ ମୋଦି ଯେଉଁଭଳି କୃଷକ ଓ ଶ୍ରମିକମାନଙ୍କ ସର୍ବନାଶ କାରୀ ଆଇନ ପାରିତ କଲେ ତାହାରି ବିରୁଦ୍ଧରେ ଦୀର୍ଘ ଦଶ ମାସ ହେଲା ଦିଲ୍ଲୀରେ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କର ଆନ୍ଦୋଳନ ଚାଲିଛି ଏବଂ ଆଗାମୀ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ପ୍ରମୂଖ ନେତା ଗୋଲକ ବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ବୁଦ୍ଧି ନାୟକ, ଏସ.ଏ. କରିମ, ଜଗବନ୍ଧୁ ସାହୁ, ବଛ ରାଉଳ, କୁଳମଣି ପୃଷ୍ଟି, ଅଧିକାରୀ ବେହେରା ପ୍ରମୂଖ ଆଲୋଚନା ରଖି ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ ରଖିଥିଲେ । ଏକ ନୂତନ ଏଗାର ଜଣିଆ ସାଂଗଠନିକ କମିଟିର ଆବାହାକ ଭାବେ ଏସ.ଏ. କରିମ ନିର୍ବାଚିତ ହୋଇଛନ୍ତି ।

Related posts