ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଓଡ଼ଗାଁ,(୩୧/୦୮):- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ୱାର୍ଡରେ ସଫେଇ କାର୍ୟ୍ୟକ୍ରମ କରାଯାଇଥିଲା। ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ବ୍ଲକ ଛକ ନିକଟବର୍ତ୍ତୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ଛାମୁସାହିରେ ଅବସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଏନ୍ଏସି କାର୍ୟ୍ୟାଳୟ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସକ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ସ୍ୱତନ୍ତ୍ରଭାବେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ବିଜେୟିତା ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ସହରବାସୀଙ୍କ ନିମନ୍ତେ ହୋଇଥିବା ଉନ୍ନୟନ ଏବଂ ଜନକଲ୍ୟାଣକାରୀ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ତଥା ସମ୍ପତ୍ତିକୁ ନିଜର ବୋଲି ଭାବିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜନସାଧାରଣଙ୍କର ବୋଲି କହିଥିଲେ ।

ଓଡ଼ଗାଁ ଅଞ୍ଚଳର ପ୍ରଭୂତ ବିକାଶକୁ ମନେ ପକାଇ ଆଗାମୀ ଦିନରେ ପଦ୍ମଶ୍ରୀ ରାଧାମୋହଙ୍କ ସ୍ମୃତିରେ ଆମ୍ବତୋଟା ନିର୍ମାଣ, ଅତ୍ୟାଧୁନିକ ମାଛ ମାର୍କେଟ, ଆଧୁନିକ ବସ୍ ଷ୍ଟାଣ୍ଡ, ସ୍ମାର୍ଟ ସ୍ମଶାନ ଆଦିର ଯୋଜନା ରହିଅଛି ବୋଲି କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆମୋଦପ୍ରମୋଦ କ୍ଷେତ୍ରରେ ଓଡ଼ଗାଁ ଏନ୍ଏସି ଆଜି ବହୁ ପାଦ ଆଗରେ । ଆଦର୍ଶ ବିଦ୍ୟାଳୟ, ନୂତନ କୋର୍ଟ ବିଲ୍ଡିଂଙ୍ଗ, ରାମସାଗର ପାର୍କ , ଆମ୍ୟୁନିଟ ସେଣ୍ଟର ଏହାର ଜ୍ୱଳନ୍ତ ଉଦାହରଣ । ଖୁବଶ୍ରୀଘ୍ର ରାମସାଗର ପୁଷ୍କରିଣୀରେ ବୋଟିଂର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଓଡ଼ଗାଁ ଏନ୍ଏସିକୁ ସରସ ସୁନ୍ଦର କରିବା ନିମନ୍ତେ ସମସ୍ତଙ୍କର ସହଭାଗୀତା ଏକାନ୍ତ କାମ୍ୟ ବୋଲି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଥିଲେ । ଜାଗା ମିଶନ ଜରିଆରେ ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ବହୁତ ଜଲଦି ଜାଗା ଯୋଗାଇ ଦିଆଯିବ ବୋଲି ତହସିଲଦାର ବିଜୟିତା ସାମନ୍ତସିଂହାର କହିଥିଲେ। ଓଡ଼ଗାଁ ଏନ୍ଏସି ସରସ ସୁନ୍ଦର କରିବା ନିମନ୍ତେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସ୍ୱଚ୍ଛସାଥିମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏନ୍ଏସି ଯନ୍ତ୍ରୀ ସୁବ୍ରତ ମହାପାତ୍ର, ସାନିଟାଇଜେଶନ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ ଏବଂ ସୁଧାଂଶୁ ମହାରଣା ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର କାର୍ୟ୍ୟକ୍ରମରେ ଏନ୍ ଏସି ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Related posts