ନୟାଗଡ଼,(୨୭/୦୮):- ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ଇ-ଆଇନ ସାକ୍ଷରତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ତତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ଅନଲାଇନ ମାଧ୍ୟମରେ ଏକାଙ୍କିକା ଅଭିନୟ, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହାଇସ୍କୁଲରେ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶିକ୍ଷା ଅଧିକାର, ପରିବେଶ ସୁରକ୍ଷା ଓ ଘରୋଇ ସଂସ୍ଥା ଆଦି ଗୁରୁତ୍ୱପୁର୍ଣ୍ଣ ଆଇନ ସମ୍ବନ୍ଧୀୟ ବିଷୟ ବସ୍ତୁକୁ ନେଇ ପିଲାମାନଙ୍କ ମଧ୍ୟରେ ଆଇନ ସମ୍ବନ୍ଧୀୟ ଜ୍ଞାନର ଉଦ୍ରେକ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ଲାଠିପଡ଼ା ହାଇସ୍କୁଲର ଛାତ୍ରୀ ପ୍ରତିସା ଜେନା ପ୍ରଥମ, ଲେଙ୍କୁଡ଼ିପଡ଼ା ହାଇସ୍କୁଲର ଛାତ୍ର ଅବିନାଶ ବାରିକ ଦ୍ବିତୀୟ ଏବଂ ତୃତୀୟ ଭାବରେ ଶରଧାପୁର ହାଇସ୍କୁଲର ଛାତ୍ର ଜ୍ଞାନ ରଞ୍ଜନ ମୁଦୁଲିଙ୍କୁ ସ୍ଥାନିତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନୟାଗଡ଼ର ଛାତ୍ରୀ ସ୍ଵିକୃତି ମହାନ୍ତି ପ୍ରଥମ, ଲେଙ୍କୁଡ଼ିପଡ଼ା ହାଇସ୍କୁଲର ଚାତ୍ର ସ୍ମୃତି ରଞ୍ଜନ ବେହେରା ଦ୍ବିତୀୟ ଏବଂ ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ର ପୃଥି ପ୍ରିୟଙ୍ଗୁ ପାତ୍ର ତୃତୀୟ ହୋଇଥିଲେ । ଅଭିନୟରେ ଲାଠିପଡ଼ା ହାଇସ୍କୁଲ ପ୍ରଥମ ଓ ଲେଙ୍କୁଡ଼ିପଡା ହାଇସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଆଞ୍ଚଳିକ ପ୍ରତିଯୋଗିତାର ସେପ୍ଟେମ୍ବର ମାସରେ ଭାଗନେବେ ବୋଲି ପ୍ରାଧୁକରଣଙ୍କ ସଚିବ ରଞ୍ଜଲତା ଲେଙ୍କା ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ପ୍ରାଧ୍ୟାପକ ଉମର ମଲ୍ଲିକ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

