ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ ।

ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ ତଥା ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ଘଟିବ। କୋଭିଡ଼ ପରିସ୍ଥିତି ଯୋଗୁଁ ଲୋକଙ୍କ ଜୀବନ ଜୀବିକା ନିହାତି ଭାବରେ ଖରାପ ହୋଇଛି ଆଉ ଏହି ପରିସ୍ଥିତିରେ ଏହିଭଳି ମେଗା ମେଳା ନିହାତି ଆବଶ୍ୟକ ଥିଲା । ଏହି ମେଳାରେ ଜିଲାପାଳ ନୟାଗଡ ଡା. ପୋମା ଟୁଡୁ ଉପସ୍ଥିତ ରହି, କିଭଳି ସମସ୍ତ ଏସ୍ଏଚଜିମାନେ ବ୍ୟାଙ୍କରୁ ମିଶନ ଶକ୍ତି ଲୋନ ନେଇ ନିଜର ଆର୍ଥିକ ପରିସ୍ଥିତି ସଜାଡି ପାରିବେ ବୋଲି କହିଥିଲେ । ଏହି ମେଳାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ରକିମା ଦାଶ, ଏଡିବି ଶାଖାର ମୁଖ୍ୟ ପରିଚାଳକ ଶିବରାମ ପାଣିଗ୍ରାହୀ, ଜଟଣୀ ଶାଖାର ମୁଖ୍ୟ ପରିଚାଳକ ସୁଜିତ୍ କୁମାର ବେହେରା, ଖୋର୍ଦ୍ଧା ଶାଖାର ମୁଖ୍ୟ ପରିଚାଳକ ଅନିରୁଦ୍ଧ ନନ୍ଦ ଉପସ୍ଥିତ ଥିଲେ । ସେଠାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଏସ୍ଏଚଜି ଗୁଡ଼ିକ ଦ୍ୱାରା ଷ୍ଟଲ କରାଯାଇଥିଲା ।

