ନୟାଗଡ଼,(୧୩/୦୮):- ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଜାଣିବାକୁ ଚାହିଁଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସମ୍ବିତ କୁମାର ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଟ୍ରକ ଆସୋସିଏସନର କର୍ମକର୍ତ୍ତା ନିଜର ଯାନବାହନ ରକ୍ଷଣା ବେକ୍ଷଣ ପାଇଁ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଗୁଡ୍ ସାମରିଟାନ୍ ନିୟମ ପ୍ରଣୟନ କରିବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ପରିବହନ କାର୍ଯ୍ୟାଳୟ ତରଫରୁ ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ଦୃତ ଗତିରେ ଗାଡ଼ି ଚାଳନା ଏବଂ ହେଲମେଟ ନ ପିନ୍ଧି ଗାଡ଼ି ଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନସ ରଦ୍ଧ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ବିଭିନ୍ନ ରାସ୍ତା ନିର୍ମାଣ ବିଭାଗ, ପୁଲିସ, ଡାକ୍ତରଖାନା କର୍ତ୍ତୁପକ୍ଷ, ସ୍ୱେଚ୍ଛାସେବୀ ସଂଗଠନ ଓ ବସ, ଟ୍ରକ ଆସୋସିଏସନ୍ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ଏହି ବୈଠକକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ମୋଟର ଯାନ ନିରିକ୍ଷକ ସନ୍ଦିପ ପାଇକରାୟ ପରିଚାଳନା କରିଥିଲେ ।

