କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ପକ୍ଷରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ

ନୟାଗଡ଼/ସାହିତ୍ୟ,(୦୮/୦୮):- ଭାରତୀୟ ସଂସ୍କୃତି ହେଉ କି ଓଡ଼ିଶାର ଜନଜୀବନ ପ୍ରତ୍ୟେକରେ ‘ପକ୍ଷୀ’ର ସ୍ଥାନ ସ୍ଵତନ୍ତ୍ର। ବେଦ, ପୁରାଣ, ଉପନିଷଦ ଠାରୁ ଆରମ୍ଭକରି ବର୍ତ୍ତମାନ ସାହିତ୍ୟ ପର୍ଯ୍ୟନ୍ତ ପକ୍ଷୀକୁ ନେଇ ଅଜସ୍ର ରଚନା ଦେଖିବାକୁ ମିଳେ। କୋଇଲି ଗୀତ ଓଡ଼ିଆ ସାହିତ୍ୟର ଅନ୍ୟତମ ସମୃଦ୍ଧ ବିଭବ।ପୁରାଣ ଓ ଇତିହାସରେ ପାରାକୁ ବାର୍ତ୍ତା ବାହାକ ଭାବେ ବ୍ୟବହାର କରାଯାଉଥିଲା । ନୟାଗଡ଼ ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ତରଫରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ବରେ ତଥା ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଯୋଗଦେଇ ପକ୍ଷୀ ବିଷୟରେ ବିଶଦ୍ ଆଲୋଚନା କରିଥିଲେ। ନୟାଗଡ଼ରେ ଓ ନୟାଗଡ଼ ବାହାରେ ରହୁଥିବା ଜିଲ୍ଲାର କବୟିତ୍ରୀ ସରୋଜିନୀ ଇନ୍ଦ୍ରସିଂହ, ଗୀତାଶ୍ରୀ ପ୍ରିୟମ୍ବଦା, ପ୍ରଜ୍ଞା ପାରମିତା ରଥ, ସୁଦୀପ୍ତାରାଣୀ ବିଶ୍ୱାଳ, ସୌଦାମିନୀ ସ୍ଵାଇଁ, ବିଶ୍ୱାସିନୀ ମିଶ୍ର, ସୁକାନ୍ତି ମହାନ୍ତି, ଶ୍ରାବଣୀ ନାଥ, ମମତା ମଂଜରୀ ଦେବୀ, ସବିତା ଶୁକ୍ଳା, ହରପ୍ରିୟା ଦ୍ୱିବେଦୀ, କ୍ଷଣପ୍ରଭା କର, ଦୀପାଳୀ ପଟ୍ଟନାୟକ, ରେଣୁବାଳା ଦାସ ପ୍ରମୁଖ କବିତା ପାଠ କରିଥିଲେ। ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ ଏ ପ୍ରକାର ସାହିତ୍ୟ କାର୍ଯ୍ୟକ୍ରମ ଡିଜିଟାଲ ପ୍ଲାଟଫର୍ମରେ କରିଥିବାରୁ ଏଥିରେ ଶ୍ରୋତା ଭାବେ ଉପସ୍ଥିତ ଥିବା ସାହିତ୍ୟାନୁରାଗୀମାନେ ତଥାସ୍ତୁର ଭୂୟସୀ ପ୍ରଶଂସା କରିଥିଲେ। ପରିଶେଷରେ କବି ତଥା ମଞ୍ଚ ଉପସ୍ଥାପକ ଗଣେଶ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Related posts