ରାଜ୍ୟସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(୦୭/୦୮):- ସାରା ଓଡ଼ିଶାରେ ଘରେ ଘରେ ପରିଚିତ ନୟାଗଡ଼ ଜିଲ୍ଲା ଇଟାମାଟିର ପ୍ରସିଦ୍ଧ କବି ତଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବା ନେଇ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ଏହି ପୁରସ୍କାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛି। ହାସ୍ୟ ଓ ବ୍ୟଙ୍ଗ କବି ଯଦୁମଣି ମହାପାତ୍ର ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ ସେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ନୟାଗଡ଼କୁ ସାରା ରାଜ୍ୟରେ ପରିଚିତ କରାଇଥିଲେ। ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟେକ ବର୍ଷ ମେ’ ମାସ ପ୍ରଥମ ରବିବାର “ବିଶ୍ୱ ହାସ୍ୟ ଦିବସ” ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି। “ଉତ୍କଳଘଣ୍ଟ ହାସ୍ୟ ରସିକ ଉପାୟନ” ନାମରେ ଏହି ପୁରସ୍କାରକୁ ନାମିତ କରାଯାଇଛି । ରାଜ୍ୟସ୍ତରୀୟ ଜଣେ ଯୁବ ସ୍ରଷ୍ଟାଙ୍କୁ ୨୧ହଜାର ପ୍ରୋତ୍ସାହନ ରାଶି ସହ ଏହି ପୁରସ୍କାର ପ୍ରଦାନ କରାଯିବ ଏବଂ ସେହିଦିନ ହିଁ ନୟାଗଡ଼ ଜିଲ୍ଲାରୁ ଜଣେ ଯୁବ ସ୍ରଷ୍ଟାଙ୍କୁ ୫ହଜାର ପ୍ରୋତ୍ସାହନ ରାଶି ସହ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଚୈାଧୁରୀ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ଶେଖ୍ ଅବଦୁଲ ଖାଲିକ, ପ୍ରଶାନ୍ତ ଦାଶ ଏବଂ ଯଦୁମଣୀଙ୍କ ପଣନାତି ରୋହନ ମହାପାତ୍ର ଉପସ୍ଥିତ ଥିଲେ।

Related posts