ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ନୟାଗଡ଼,(୦୨/୦୮):- ନୟାଗଡ଼ ପୁରୁଣା ସହରସ୍ଥିତ ବଡମଠର ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ଗତକାଲି ରାତିରେ ତାଙ୍କ ଦେହ ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ଘଟିକା ସମୟରେ ତାଙ୍କର ପରଲୋକ ଘଟିଛି। ସେ ୧୯୫୨ ମସିହାରେ ସନ୍ୟାସ ଗ୍ରହଣ କରିଥିଲେ, ୧୯୬୮ ମସିହାରୁ ବଡମଠର ମହନ୍ତ ଭାବେ କାର୍ଯ୍ୟ କରି ଆସୁଥିଲେ। ମହାରାଜଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ନୟାଗଡର ବହୁ ସଙ୍ଗଠନ ସହିତ ସେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ । ନୟାଗଡ଼ ଶାନ୍ତି କମିଟିର ସଭ୍ୟ ଥିବା ସହ ଦକ୍ଷିଣ କାଳୀ ମନ୍ଦିର କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ। ମହାରାଜ ନୟାଗଡ଼ ଜିଲ୍ଲାରେ ଘରେଘରେ ଜଣେ ପରିଚିତ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ପ୍ରଫୁଲ୍ଲ କର, ପୁର୍ବତନ ନୟାଗଡ଼ ନଗରପାଳ ଗୁରୁପ୍ରସାଦ ଜେନା, ସମାଜସେବୀ କିଶାନ ଦାସ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ବିଜେଡି ନେତ୍ରୀ ଜୟଶ୍ରୀ ଦାସ, ଏବଂ ନୟାଗଡ଼ ସହରର ବହୁ ସାମ୍ବାଦିକ, ଆଇନଜୀବି, ସମାଜସେବୀ ଶୋକ ପ୍ରକାଶ କରିଛନ୍ତି ।

Related posts