ନୟାଗଡ଼ରେ ଉଦ୍‌ଘାଟିତ ହେଲା ଓରମାସ୍‌ର ଦୀପାବଳି ଷ୍ଟଲ୍

ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ ସଦର ମହକୁମା ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ସମ୍ମୁଖରେ  ଓରମାସ୍‌ (ORMAS) ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ଉଦ୍‌ଘାଟିତ ହୋଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ୍ ରାଉତ, ଓରମାସ୍‌ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀଳକଣ୍ଠ ରଥଙ୍କ ସମେତ ଅନ୍ୟାନ୍ୟ ଓରମାସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଷ୍ଟଲ୍‌ର ଶୁଭାରମ୍ଭ ହୋଇଥିଲା।
ଏହି ଷ୍ଟଲ୍‌ରେ ସ୍ଥାନୀୟ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ଉତ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହେଉଛି। ଏଥିରେ ମାଟି ଦୀପ, ଟେରାକୋଟା ସାମଗ୍ରୀ, କୃତ୍ରିମ ଫୁଲ ଏବଂ ଦୀପାବଳି ସାଜସଜ୍ଜା ପାଇଁ ଆବଶ୍ୟକ ବିଭିନ୍ନ ଘରକରଣା ସାମଗ୍ରୀ ସ୍ଥାନ ପାଇଛି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କାରିଗର ଓ ଗ୍ରାମୀଣ ଉତ୍ପାଦକମାନଙ୍କୁ ଉପଯୁକ୍ତ ବଜାର ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ହାତତିଆରି ସାମଗ୍ରୀର ପ୍ରଚାର ଓ ପ୍ରସାର କରିବା। ଏଥିସହ ସ୍ଥାନୀୟ ଉତ୍ପାଦ କିଣିବା ଦ୍ୱାରା କାରିଗରମାନଙ୍କ ଜୀବିକା ଓ ଆର୍ଥିକ ସଶକ୍ତୀକରଣକୁ ପ୍ରୋତ୍ସାହନ ମିଳିପାରିବ।
ଏହି ଦୀପାବଳି ଷ୍ଟଲ୍‌ ଆସନ୍ତା ୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ। ତେଣୁ ନୟାଗଡ଼ବାସୀ ଓ ଆଖପାଖ ଅଞ୍ଚଳର ଜନସାଧାରଣ ଏହି ଷ୍ଟଲ୍‌ ପରିଦର୍ଶନ କରି ସ୍ଥାନୀୟ କାରିଗରଙ୍କ ହାତତିଆରି ସାମଗ୍ରୀ କ୍ରୟ କରିବା ସହ ସେମାନଙ୍କ ଉଦ୍ୟମକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଛି। ଆସନ୍ତୁ, ଏହି ଦୀପାବଳିରେ ସ୍ଥାନୀୟ ସାମଗ୍ରୀ କିଣିବା, ସ୍ଥାନୀୟ କାରିଗରଙ୍କ ମୁହଁରେ ହସ ଫୁଟାଇବା ଏବଂ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା।

Related posts