ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ଧୂପପୁଷ୍ପ ଅର୍ପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଶ୍ରୀଯୁକ୍ତ ମହାପାତ୍ର ଆଲୋଚନା କରି କହିଥିଲେ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ। ଅକ୍ଟୋବର ୧୦, ୧୯୪୨ମସିହା। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ‘ ଭାରତଛାଡ’ ଆନ୍ଦୋଳନର ଉତ୍ତାଳ ତରଙ୍ଗ ସାରା ଦେଶରେ। ନୟାଗଡ଼ ଗଡ଼ଜାତର ପ୍ରଜାମଣ୍ଡଳ ଆନ୍ଦୋଳନ ରାଜା ଆଉ ଗୋରାଶାସନ ବିରୁଦ୍ଧରେ। ସଂଗ୍ରାମୀ ଲକ୍ଷ୍ମଣ ମହାରଣା, ଶ୍ରୀଧର ଦାଶ, ନାରାୟଣ ନନ୍ଦ, ବାଞ୍ଛାନିଧି ସେନାପତିଙ୍କ ନେତୃତ୍ୱରେ ଗଡ଼ଜାତ ଅଞ୍ଚଳ କମ୍ପୁଥିଲା। ଥୁଆବାରୀ ଗାଁ ମାତିଯାଇଥାଏ ଆନ୍ଦୋଳନରେ। ପାଲଵା, ପଞ୍ଚୁପାଣ୍ଡବ,ଶୂଳିଆ ପାହାଡ଼ ତଳି ମାଳ ଥାଏ ପ୍ରଜାମେଳିର ଘାଟି। ଅକ୍ଟୋବର ୦୯ ତାରିଖ ରାତିରେ ମେଳିଆ ପ୍ରଜାମାନେ କୁଶବିଡାର ଆଦିବାସୀ ନେତା କଷ୍ଟି ଡାକୁଆଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ବରକୋଳା ଫରେଷ୍ଟ ବିଟ୍ ଠାରେ ମେଳହୋଇ ପ୍ରଥମେ ପ୍ରଜାପୀଡନର ପ୍ରତୀକ ବିଟ୍ ହାଉସ୍ ପୋଡ଼ିଲେ। ସେଇଠୁ ନୂଆଗାଁ ଥାନାକୁ ଲକ୍ଷ୍ୟ କରି ପଟୁଆର ମାଡିଚାଲିଲା। ୧୦ ଅକ୍ଟୋବର ସକାଳେ ନୂଆଗାଁ ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବାକୁ ଗଲାବେଳେ ପୋଲିସ ଗୁଳିରେ କଷ୍ଟିଡାକୁଆ ସହୀଦ ହେଲେ। ଇଏ ଆମ ସ୍ଵାଧୀନତା ସଂଗ୍ରାମର ବୀରତ୍ଵପୂର୍ଣ ଇତିହାସର ସଂକ୍ଷିପ୍ତ ଗାଥା ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ପରେ ପରେ ସହିଦ୍ କଷ୍ଟି ଡାକୁଆ ଅମର ରହେ ଧ୍ବନିରେ ବିଦ୍ଯାଳୟ ପରିସର ପ୍ରକମ୍ପିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର, ବିନୋଦିନୀ ବାରିକ, ପୁଷ୍ପିତା ରଥ, ଶୁଭଶ୍ରୀ ଦେହୁଡି, ସୁଜାତା ସାହୁ,ଲୋପାମୁଦ୍ରା ଗୁରୁମା, ଚନ୍ଦ୍ରଶେଖର ମିଶ୍ର ଓ ଜଗତ କଲ୍ଯାଣ କାଶ୍ଯପ ସହଯୋଗ କରିଥିଲେ।
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ
