ଛାତ୍ର ସଂସଦ ନିର୍ବାଚନ ବାତିଲ୍ କରି କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି: କଂଗ୍ରେସ

ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଛାତ୍ର କଂଗ୍ରେସର ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯାଇ କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି।

ଜିଲ୍ଲା ପ୍ରଶାସନର ଏଭଳି ଛାତ୍ରବିରୋଧୀ ନିଷ୍ପତ୍ତି ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ଛାତ୍ରନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା। ଏଭଳି ସ୍ଥିତିରେ ନିର୍ବାଚନ ବାତିଲ୍ କରାଯିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ଲାଠିପଡ଼ା ମଡେଲ୍ ଡିଗ୍ରୀ ସରକାରୀ କଲେଜ, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଇଟାମାଟି ବଂଶୀଧର ମହାବିଦ୍ୟାଳୟ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯିବା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାଦ୍ୱାରା କ୍ୟାମ୍ପସ୍‌ରେ ରହିଥିବା ଭାଇଚାରା ନଷ୍ଟ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଆଗେଇ ଚାଲିଥିଲା। ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ। ଏଭଳି ସମୟରେ ନିର୍ବାଚନ ବାତିଲ୍ ନିଷ୍ପତ୍ତି ଛାତ୍ର ଅସନ୍ତୋଷକୁ ବଢ଼ାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଏଥିସହ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଅନ୍ୟ କେତେକ ମହାବିଦ୍ୟାଳୟରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ନିର୍ବାଚନ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଆଶଙ୍କା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରଣଜିତ ଦାଶ। ଏ ସମ୍ପର୍କରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବାନୁମାନ କରିବା ସହ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟା ପୁନଃ ଆରମ୍ଭ କରିବାକୁ ଦାବି ଜଣାଇଛନ୍ତି।

Related posts