୨ ବର୍ଷ ୮ ମାସରେ ସଂସ୍କୃତ ଶ୍ଳୋକ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ମୁଖସ୍ଥ
ନୟାଗଡ଼:(ନୟାଗଡ଼ ଦର୍ପଣ): ବୟସ ମାତ୍ର ୨ ବର୍ଷ ୮ ମାସ। ଏତେ କମ୍ ବୟସରେ ଯେଉଁଠି ଅଧିକାଂଶ ଶିଶୁ ଠିକ୍ ଭାବେ ବାକ୍ୟ କହିବା ଶିଖୁଥାନ୍ତି, ସେଠାରେ ଅନର୍ଗଳ ଭାବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ଚର୍ଚ୍ଚାକୁ ଆସିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପାଟଣା ଜାମୁସାହିର କୁନି ଝିଅ ସାନଭି ସାହୁ।
ପ୍ରଦୀପ କୁମାର ସାହୁ ଓ ସୁନିତା ସାହୁଙ୍କ ଏକମାତ୍ର ଝିଅ ସାନଭି। ବୟସ ଅଳ୍ପ ହେଲେ ମଧ୍ୟ ତାଙ୍କର ସ୍ମରଣଶକ୍ତି ଓ ଅସାଧାରଣ ପ୍ରତିଭା ସମସ୍ତଙ୍କୁ ବିସ୍ମିତ କରୁଛି। ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ଶ୍ଳୋକ ସେ ଅନର୍ଗଳ ଭାବେ କହିପାରୁଛନ୍ତି।
କେବଳ ମନ୍ତ୍ର ଓ ଶ୍ଳୋକ ନୁହେଁ, ସାନଭି ବିଭିନ୍ନ ପଶୁପକ୍ଷୀ, ଓଡ଼ିଆ ଇଂରାଜୀରେ ନିଜର ପରିଚୟ ଦେବା ସହ ବାର ମାସ ଯାକର ନାମ, ଚାରିଧାମର ନାମ ସହିତ ଅବସ୍ଥିତ ସ୍ଥାନ, ଦେଶ-ବିଦେଶର ନାମ, ଜାତୀୟ ସଂଗୀତ ମୁଖସ୍ତ ଏବଂ ଚିହ୍ନ, ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବା ସହ ସେମାନଙ୍କ ନାମ ମଧ୍ୟ ସଠିକ୍ ଭାବେ କହିପାରୁଛନ୍ତି। ଏତେ କମ୍ ବୟସରେ ତାଙ୍କର ଏଭଳି ଅସାଧାରଣ ଦକ୍ଷତା ଦେଖି ପରିବାର, ପଡ଼ୋଶୀ ଓ ଅଞ୍ଚଳବାସୀ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି।
ସାନଭିଙ୍କ ଏହି ଅସାଧାରଣ ପ୍ରତିଭାକୁ ମିଳିଛି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି। ସେ International Kidz Icon Award–2026 ହାସଲ କରିଥିବା ବେଳେ India Book of Recordsରେ ମଧ୍ୟ ସ୍ଥାନ ପାଇଛନ୍ତି।
କୁନି ବୟସରେ ସାନଭିଙ୍କ ଏହି ଅସାଧାରଣ ପ୍ରତିଭା ଆଜି ନୟାଗଡ଼ର ଗୌରବକୁ ଆହୁରି ବଢ଼ାଇଛି। ତାଙ୍କ ମଧ୍ୟରେ ଲୁଚିଥିବା ପ୍ରତିଭାକୁ ଠିକ୍ ଦିଗରେ ବିକଶିତ କରିପାରିଲେ ଭବିଷ୍ୟତରେ ସାନଭି ନୟାଗଡ଼ ତଥା ଓଡ଼ିଶା ପାଇଁ ଆହୁରି ଗର୍ବ ଆଣିବେ ବୋଲି ଆଶା ପ୍ରକାଶ ପାଇଛି।
