ନୟାଗଡ଼ରେ ‘ନିଶାମୁକ୍ତ ଯୁବକ–ବିକଶିତ ଭାରତ’ କାର୍ଯ୍ୟକ୍ରମ: ଯୁବପିଢ଼ି ନେଲେ ନିଶାମୁକ୍ତ ଭାରତ ଗଠନର ଶପଥ

ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ, କୃତି ପ୍ରତିଯୋଗୀ ରାଜ୍ୟସ୍ତର ପାଇଁ ମନୋନୀତ


ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ନିଶାମୁକ୍ତ ଯୁବକ–ବିକଶିତ ଭାରତ’ କାର୍ଯ୍ୟକ୍ରମ ଗୁରୁବାର ସଫଳତାର ସହ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ, ନୟାଗଡ଼ ପକ୍ଷରୁ ସେବା ଉତ୍ସବ ସମିତିର ସହଯୋଗରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମାଇ ଭାରତର ଜିଲ୍ଲା ପ୍ରୋଗ୍ରାମ ଅଫିସର ଅଶୋକ ବେହେରା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଓ ଏନସିସି ଅଫିସର କମଲ କୁମାର ବର୍ମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

୧୫ରୁ ୨୯ ବର୍ଷ ବୟସର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଶାମୁକ୍ତି ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଲୋକସଙ୍ଗୀତ, ନୃତ୍ୟ, ନୁକ୍କଡ଼ ନାଟକ, ଚିତ୍ରାଙ୍କନ, ବାଦ-ବିବାଦ, ଭାଷଣ, ସର୍ଟ ଫିଲ୍ମ/ରିଲ୍, ସ୍ଲୋଗାନ ଲେଖନ ଓ ସ୍ଲାମ୍ ପୋଏଟ୍ରି ପରି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା। ରାଜ୍ୟସ୍ତରରେ ସଫଳ ହେଲେ ସେମାନେ ଜାତୀୟସ୍ତରରେ ଅଂଶଗ୍ରହଣର ସୁଯୋଗ ପାଇବେ ବୋଲି ମାଇ ଭାରତ ପକ୍ଷରୁ ସୂଚନା ଦିଆଯାଇଥିଲା। ଶେଷରେ ସମସ୍ତ ଉପସ୍ଥିତ ଯୁବକ-ଯୁବତୀ ‘ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ’ କରିଥିଲେ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ୱାକ୍ଷର ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଦେବଦୂତ ସେବା ପରିଷଦ ଓ ସେବା ଉତ୍ସବ ସମିତିର ସଦସ୍ୟ ସୁନୀଲ କୁମାର ନାୟକ, ପ୍ରଭୁଦତ୍ତ ପ୍ରଧାନ, ଆଦିତ୍ୟ ପାଳ, ଦେବାଶିଷ ରାଉତ, ଆଶୁତୋଷ ସାହୁ, ଅଶୋକ ଭଟ୍ଟ, ବର୍ଷା ପ୍ରିୟଦର୍ଶିନୀ, ଶୁଭସ୍ମିତା ମିଶ୍ର, ସୋମେଶ ପଟ୍ଟନାୟକ, ପରମେଶ୍ୱର ସାହୁ ଓ ସତ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts