ସର୍ବସମ୍ମତିକ୍ରମେ ସଭାପତିଭାବେ ମନୋନୀତ ହେଲେ ବରିଷ୍ଠ ସମବାୟ ନେତା ନାସିର ଅହମ୍ମଦ 

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ନନ୍-କ୍ୟାଡର ଆସୋସିଏସନ୍, ଜିଲ୍ଲା ସମବାୟ ବ୍ୟାଙ୍କର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଜୁରୀଆପଲ୍ଲୀସ୍ଥିତ ମା’ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଉତ୍ସାହ ଓ ଆନ୍ତରିକତାର ସହ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇ ସମବାୟ କ୍ଷେତ୍ରର ବିକାଶ ଏବଂ ସଂଗଠନର ଭବିଷ୍ୟତ ରୂପରେଖା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ସମବାୟ ସମିତିଗୁଡ଼ିକର ବର୍ତ୍ତମାନ କାର୍ଯ୍ୟକଳାପ, ସଂଗଠନର ସାଙ୍ଗଠନିକ ସୁଦୃଢ଼ୀକରଣ, ସଦସ୍ୟମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଜନହିତକର କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଭାବେ କିପରି ଆଗେଇ ନିଆଯିବ ସେ ସମ୍ପର୍କରେ ଗଭୀର ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା। ସମବାୟ ବ୍ୟବସ୍ଥାକୁ ଅଧିକ ଦୃଢ଼ ଓ ଜନମୁଖୀ କରିବା ପାଇଁ ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସଂଘର ଭବିଷ୍ୟତ ନେତୃତ୍ୱକୁ ନେଇ ଅନୁଷ୍ଠିତ ନିର୍ବାଚନରେ ବରିଷ୍ଠ ସମବାୟ ନେତା ନାସିର ଅହମ୍ମଦ (ନସ୍)ଙ୍କୁ ସର୍ବସମ୍ମତିକ୍ରମେ ନୟାଗଡ଼ ଜିଲ୍ଲା ନନ୍-କ୍ୟାଡର ଆସୋସିଏସନ୍‌ର ସଭାପତି ଭାବେ ମନୋନୀତ କରାଯାଇଥିଲା। ତାଙ୍କ ମନୋନୟନକୁ ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ।

ନବନିର୍ବାଚିତ ସଭାପତି ନାସିର ଅହମ୍ମଦ ସମସ୍ତ ସଦସ୍ୟଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ସଂଘର ଏକତା, ଶୃଙ୍ଖଳା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖି ସଦସ୍ୟମାନଙ୍କ ସ୍ୱାର୍ଥର ସୁରକ୍ଷା ସହ ସମବାୟ ବ୍ୟବସ୍ଥାର ସୁଦୃଢ଼ ବିକାଶ ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ। ସମବାୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଓ ସଦସ୍ୟମାନଙ୍କ ଅଧିକାର ସୁରକ୍ଷାକୁ ସେ ପ୍ରାଥମିକତା ଦେବେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ବୈଠକ ଶେଷରେ ସଂଗଠନର ଆଗାମୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ସହ ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।

Related posts