ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ଈଶ୍ୱର କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସହ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚାର ନବନିଯୁକ୍ତ ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ବକ୍ତାମାନେ ଚାଷୀମାନଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ସମ୍ବନ୍ଧୀୟ ଯୋଜନାର ସୁବିଧା କିପରି ସୁଗମ ଭାବେ ପହଞ୍ଚିବ, ସେଥିପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସାର, କୀଟନାଶକ, ସମବାୟ ସମିତି ଓ ଜିଲ୍ଲା କୃଷି ବିଭାଗର କ୍ଷେତ୍ର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଚାଷୀମାନେ ଯେପରି ସରକାରୀ ନିର୍ଦ୍ଧାରିତ ଦରରେ ଆବଶ୍ୟକ ସାମଗ୍ରୀ ପାଇପାରିବେ, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ତଥା ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା, ଉପସଭାପତି ପ୍ରହଲ୍ଲାଦ ବରାଡ଼, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସତ୍ୟେନ୍ଦୁ ମିଶ୍ର, ବରିଷ୍ଠ ଚାଷୀ ନେତା ବସନ୍ତି ପଟ୍ଟନାୟକ, କୃଷକ ନେତା ସ୍ନେହରଞ୍ଜନ ଦାସ ଜୟସିଂ, ନୟାଗଡ଼ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ସନ୍ତୋଷ ପ୍ରଧାନ ଓ ରଣପୁରର ବରିଷ୍ଠ ସଂଗଠକ ତଥା ଚାଷୀ ନେତା ରଣଜିତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମ ଶେଷରେ କାର୍ଗିଲ ଯୁଦ୍ଧର ବୀର ସହିଦମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସଭାର ପରିସମାପ୍ତି ଘୋଷଣା କରାଯାଇଥିଲା।
