ଦୁଇ ବର୍ଷ ଧରି ଅବହେଳିତ ଓଡ଼ଗାଁ କେନାଲ ଛକ ରାସ୍ତା; ୩୦ ଗାଁବାସୀଙ୍କ ଦୁର୍ଦ୍ଦଶା, ପର୍ଯ୍ୟଟନ ଉପରେ ବି ପ୍ରଭାବ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କେନାଲ ଛକଠାରୁ ବୁଢାବୁଢିଆଣୀ ଡ୍ୟାମ ଆଡ଼କୁ ଯାଇଥିବା ସଡ଼କ ଦୀର୍ଘ ଦୁଇ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। କେନାଲ ଛକରୁ ମାତ୍ର ୫୦୦ ମିଟର ରାସ୍ତା ଖାଲଖମାରେ ଭରି ଯାଇଥିବା ବେଳେ ଏହାର ମରାମତି ପାଇଁ ଏପର୍ଯ୍ୟନ୍ତ ମାଟି ମୁଠେ ମଧ୍ୟ ପଡ଼ିନାହିଁ। ଫଳରେ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତାଟି ପ୍ରାୟ ୩୦ଟି ଗ୍ରାମର ପ୍ରବେଶ ପଥ ହୋଇଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ସ୍ଥାନୀୟ ଲୋକଙ୍କ ସହ ପ୍ରତିଦିନ ଅନେକ ପର୍ଯ୍ୟଟକ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। କାରଣ ଏହି ସଡ଼କ ଦେଇ ଜିଲ୍ଲାର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୁଢା ବୁଢିଆଣୀ ଡ୍ୟାମ ଏବଂ ବରକନ୍ୟା ଜଳପ୍ରପାତକୁ ସଂଯୋଗ କରାଯାଇଛି। ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ପର୍ଯ୍ୟଟକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳର ପର୍ଯ୍ୟଟନ ବିକାଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ଜନପ୍ରତିନିଧି, ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୁରବସ୍ଥା ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ବର୍ଷା ଋତୁରେ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି। ଏପରି ପରିସ୍ଥିତିରେ ଯଥାଶୀଘ୍ର କେନାଲ ଛକରୁ ଆରମ୍ଭ ହୋଇଥିବା ଏହି ମୁଖ୍ୟ ପ୍ରବେଶ ପଥର ପୁନଃନିର୍ମାଣ ଓ ସ୍ଥାୟୀ ମରାମତି କରାଯାଉ ବୋଲି ୩୦ଟି ଗାଁର ଅଞ୍ଚଳବାସୀ ପ୍ରଶାସନ ଓ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି। ବିଳମ୍ବ ହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ିଉଠିବାର ସମ୍ଭାବନା ଥିବା ନେଇ ମଧ୍ୟ ସ୍ଥାନୀୟ ଲୋକ ସତର୍କ କରାଇଛନ୍ତି।

Related posts