ଦାସିଆ ଅଜାଙ୍କ ୧୧୯ତମ ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀଙ୍କୁ ସଂଘର୍ଷ ଓ ସଂକଳ୍ପର ବାର୍ତ୍ତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ତମ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି।

ପୂଜ୍ୟପୂଜା କମିଟିର ଆବାହକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୟୁନିଟେକର ଚେୟାରମ୍ୟାନ ଶ୍ରୀ ପ୍ରଦୀପ ପୃଷ୍ଟି ମୁଖ୍ୟ ଅତିଥି ଏବଂ ନୟାଗଡ଼ କ୍ଲବ୍ ତଥା ସମର୍ପଣ ବୃଦ୍ଧାଶ୍ରମର ସମ୍ପାଦକ ଶ୍ରୀ ଶ୍ରୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦାସିଆ ଅଜାଙ୍କ ସଂଘର୍ଷମୟ ଜୀବନ, ତାଙ୍କର ନିଷ୍ଠା, ପ୍ରୟାସ ଏବଂ କିଛି କରି ଦେଖାଇବାର ଦୃଢ଼ ସଂକଳ୍ପରୁ ପ୍ରେରଣା ନେଇ ଜୀବନରେ ସଫଳତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ।

ପୂଜ୍ୟପୂଜା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଦାସିଆ ଅଜାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ପାଠାଗାର ଓ ସଂଗ୍ରହାଳୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

ପରିଶେଷରେ ଦାସିଆ ଅଜାଙ୍କ ଜୀବନ ଓ କୃତିତ୍ୱକୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଫଳ ପ୍ରତିଯୋଗୀମାନଙ୍କୁ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସଭାପତି ଧିରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ।

Related posts