ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ମାମଲାର ତ୍ୱରିତ ତଦନ୍ତ ଉପରେ ଗୁରୁତ୍ୱ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୋଲିସ କର୍ମକର୍ତ୍ତାମାନେ ଯୋଗଦେଇ ଜିଲ୍ଲାର ଅପରାଧ ସ୍ଥିତି ଏବଂ ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ବୈଠକରେ ବିଶେଷ ଭାବେ ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧ ମାମଲା, ପୋକ୍ସୋ ଆଇନ ଅନ୍ତର୍ଗତ ମାମଲା, ନିଖୋଜ ଶିଶୁ ଓ ମହିଳା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ଶୀଘ୍ର ଚାର୍ଜସିଟ୍ ଦାଖଲ ଉପରେ ଏସପି ଗୁରୁତ୍ୱାରୋପ କରିଥିଲେ। ଏଭଳି ସମ୍ବେଦନଶୀଳ ମାମଲାରେ କୌଣସି ପ୍ରକାର ଅବହେଳା ନ କରି ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ସହିତ ଜିଲ୍ଲାରେ ଚୋରି, ଡକାୟତି, ସାଇବର ଅପରାଧ, ମାଦକଦ୍ରବ୍ୟ କାରବାର ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଏସପି ନିର୍ଦ୍ଦେଶ ଦେଇଥିଲେ। ଥାନା ସ୍ତରରେ ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ସମାଧାନ କରିବା ସହ ପୋଲିସ-ଜନତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।

ଜିଲ୍ଲାରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା, ଅପରାଧ ନିୟନ୍ତ୍ରଣ ସହ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପୋଲିସ ବିଭାଗ ପ୍ରତିବଦ୍ଧ ବୋଲି ଏସପି ଶ୍ରୀଯୁକ୍ତ ପାତ୍ର ବୈଠକରେ ମନ୍ତବ୍ୟ ରଖିଥିଲେ।

Related posts