ରଣପୁର,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆଜିଠାରୁ ରଣପୁର ବ୍ଲକରେ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ।
ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୬୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୧୬ ଜଣ ବି.ଏଲ.ଓ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରମାନଙ୍କ ସୂଚନା ସଂଗ୍ରହ, ଯାଞ୍ଚ ଏବଂ ପରିଶୋଧନ କାର୍ଯ୍ୟ ସମ୍ପାଦନ କରିବେ।

ଏହି ଅଭିଯାନରେ ପ୍ରତ୍ୟେକ ପରିବାରକୁ ପରିଗଣନା ଫର୍ମ ପ୍ରଦାନ କରାଯିବ। ଭୋଟରମାନେ ଏହି ଫର୍ମ ପୂରଣ କରି ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦାଖଲ କରିପାରିବେ। ଫର୍ମ ପୂରଣ ସମୟରେ ଆବଶ୍ୟକ ଦଲିଲପତ୍ର ସଂଲଗ୍ନ କରିବାକୁ ନିର୍ବାଚନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ରଣପୁର ବ୍ଲକରେ ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଭାବେ ରଣପୁର ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବାଦାମନ, ଅତିରିକ୍ତ ତହସିଲଦାର ବିଜୟ କୁମାର ବାରିକ ଏବଂ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ସାମନ୍ତ ମହାପାତ୍ର ନିଯୁକ୍ତ ହୋଇଛନ୍ତି। ସେମାନେ ସମଗ୍ର କାର୍ଯ୍ୟକ୍ରମର ତଦାରଖ ଓ ମାର୍ଗଦର୍ଶନ କରିବେ। ପ୍ରଶିକ୍ଷକ ଭାବେ ଶକ୍ତି ପ୍ରସାଦ ଆଚାର୍ଯ୍ୟ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।
ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ଭୋଟରଙ୍କୁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ସହଯୋଗ କରି ଠିକ୍ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ନିର୍ବାଚନୀ ତାଲିକାକୁ ନିର୍ଭୁଲ କରିବାରେ ସହଭାଗୀ ହେବାକୁ ଆହ୍ୱାନ ଜଣାଯାଇଛି।
