ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଗତ ୧୮ ତାରିଖ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ । ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଛନ୍ତି । ଏକ ବୈଠକରେ ଉପଜିଲ୍ଲାପାଳ ବସିଥିବା ଦେଖି ସମସ୍ତ ନିର୍ବାଚିତ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ବସି ରହିଥିଲେ । ବୈଠକରୁ ଉପଜିଲ୍ଲାପାଳ ବାହାରିବା ପରେ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ ।
।କାହିଁକି ବିଳମ୍ବ ହେଉଛି, ଚାପରେ ପ୍ରଶାସନ ଚେପା ହେଉଛି କି ବୋଲି ପ୍ରଶ୍ନ କରିଥିଲେ । ଉପଜିଲ୍ଲାପାଳ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଯାହାକୁ ନେଇ ଜନପ୍ରତିନିଧିମାନେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ଖବରପାଇ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପହଞ୍ଚି ଜନପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ । ଦୁଇ ଦିନ ମଧ୍ୟରେ ଅନାସ୍ଥା ପ୍ରକିୟା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ।
ଏହି ଘଟଣାକୁ ନେଇ ନୟାଗଡ଼ରେ ରାଜନୈତିକ ମାହୋଲ ଉଷ୍ମ ହେଉଛି । ପ୍ରଶାସନ ସରକାରୀ ଦଳର ହାତ ବାରିଶ ସାଜୁଥିବା ଅଭିଯୋଗ ହୋଇଛି । ନୟାଗଡ଼ ବ୍ଲକ ରାଜନୀତିକୁ ନେଇ ଏବେ ଭିନ୍ନ ପରିସ୍ଥିତି ସୃଷ୍ଟି ହେଇଥିବା ବେଳେ ଆଗାମୀ ଦିନରେ ନୟାଗଡ଼ ରାଜନୀତିରେ ଭିନ୍ନ ମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି ।
