ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା), କଟକର ୩୨ ତମ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ‘ପଠାଣି ସାମନ୍ତ ସଂସ୍କୃତି ଭବନ’ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧ ହଜାରରୁ ୧୨ଶହ ଶିକ୍ଷକ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ କାର୍ଯ୍ୟକ୍ରମର ସଫଳତା ନେଇ ଏହାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ରାଜ୍ୟସଂଘ ସଭାପତି ବିକ୍ରମ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥିଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ଓଷ୍ଟା ରାଜ୍ୟ ସମ୍ପାଦକ ମାଣିକେଶ୍ବର ସ୍ୱାଇଁ, ଓଷ୍ଟା ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଦାସ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ବିଭୁତି ସାହୁ, ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ବିପିନ ବିହାରୀ ଦାସ, ପୀତବାସ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଶ୍ରମିକ ନେତା ତଥା ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଯୋଗଦାନ କରି ଶିକ୍ଷକମାନଙ୍କ ପ୍ରତି ସମର୍ଥନ ପ୍ରଦାନ କରି ବକ୍ତବ୍ୟ ରଖିଥିଲେ।

ଓଲଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ସଭାର ଆଭିମୁଖ୍ୟ ଏବଂ ଆଗାମୀ ସାମ୍ବିଧାନିକ ସମ୍ମିଳନୀ ସମ୍ପର୍କରେ ଆଲୋକପାତ କରିବା ସହିତ ଏହି ଅବସରରେ ଏକ ଶିକ୍ଷା ସେମିନାର ଅନୁଷ୍ଠିତ ହେବ ବୋଲି କହିଥିଲେ । ଏଥିରେ ସାଧାରଣ ଶିକ୍ଷା ବ୍ୟବସ୍ଥା, ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସ୍ଥିତି, ଶିକ୍ଷା ଅଧିକାର ଆଇନ, ଶିକ୍ଷା ସମସ୍ୟା, ଶିକ୍ଷକ ଆନ୍ଦୋଳନ, ଶିକ୍ଷା ଅଧିକାର ଓ ଗଣତାନ୍ତ୍ରିକ ଆନ୍ଦୋଳନ ଶିକ୍ଷା ଓ ସମ୍ବିଧାନ, ଶିଶୁ ଅଧିକାର ଓ ସାମ୍ପ୍ରତିକ ସମୟରେ ଶିକ୍ଷାର ବିକାଶ ଆଦି ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଓଲଷ୍ଟା ସଂଗଠନର ମୁଖପତ୍ର ‘ଶିକ୍ଷକ ଦର୍ପଣ’ର ଏକ ‘ସମିଳନୀ ବିଶେଷାଙ୍କ’ ପ୍ରକାଶିତ ହେବ ବୋଲି ସମ୍ପାଦକ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ଏହା ସହିତ ଏହି ଦୁଇଦିନିଆ ସମିଳନୀରେ ଯୋଗଦାନ କରିବାକୁ ଥିବା ସମସ୍ତ ଶିକ୍ଷକ ପ୍ରତିନିଧି ମାନଙ୍କର ରହିବା ଏବଂ ଖାଇବାର ସୁବନ୍ଦୋବସ୍ତ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଓଲଷ୍ଟା ଶିକ୍ଷକ ସଂଗଠନ,କଟକର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଯୁଗ୍ମ ମୁଖ୍ୟ ଉପଦେଷ୍ଟା କମଳ ଲୋଚନ ବିଶ୍ୱାଳ ,ରାଜକୁମାର ସାହୁ,ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, ଓଷ୍ଟା, ନୟାଗଡ଼ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ, ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି, ଶିକ୍ଷକନେତା ବିନାୟକ ପରିଡା, ଲକ୍ଷ୍ମୀଧର ସାହୁ, ପ୍ରସନ୍ନ କୁମାର ଲେଙ୍କା,ଅଶୋକ ପଣ୍ଡା, ଭକ୍ତରଞ୍ଜନ ମିଶ୍ର, ପ୍ରଭାକର ମିଶ୍ର ପ୍ରମୁଖ ଯୋଗଦାନ କରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଆଗାମୀ ଶିକ୍ଷକ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆସନ୍ତା ସାମ୍ବିଧାନିକ ସମ୍ମିଳନୀର ସୁ ପରିଚାଳନା ପାଇଁ ଶିକ୍ଷକ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇଥିଲା।ଶେଷରେ ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ ପ୍ରସ୍ତୁତି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
