ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମଙ୍କ ତ୍ୟାଗ ଓ ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବକୁ ମନେ ପକାଇବା ପାଇଁ ଇସଲାମ ଧର୍ମର ଅନ୍ୟତମ ବଳିଦାନର ପର୍ବ ଇଦୁଜ୍ ଜୁହା ସିନ୍ଦୁରିଆର ଇଦ୍-ଗାହ୍ ଠାରେ ପାଳନ ହୋଇଯାଇଛି। ଆଜିର ଏହି ଜିଲ୍ଲାସ୍ତରୀୟ ଇଦ ପର୍ବରେ ସିନ୍ଦୁରିଆ ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଇଦ୍-ଗାହ୍ ଠାରେ ଉପସ୍ଥିତ ହୋଇ ଵିଶିଷ୍ଟ ଧର୍ମଗୁରୁ ଜଲାଲୁଦ୍ଦିନ୍ ମିଫତାହିଙ୍କ ଇମାମତରେ ନମାଜ୍ ପାଠ କରିବା ସହିତ ମହାପୁରୁଷ ଇବ୍ରାହିମ୍ ଙ୍କ ଈଶ୍ୱର ଭକ୍ତି ଉପରେ ଦୀକ୍ଷାନ୍ତ ଭାଷଣ ଶୁଣିଥିଲେ l ଏକଦା ମହାପୁରୁଷ ଇବ୍ରାହିମ ଆଲେଇହିସ୍ସଲାମ୍ ଅପୁତ୍ରିକ ଥିଲେ l ଆଲ୍ଲାଙ୍କ କୃପାରୁ ଅଶି ବର୍ଷ ବୟସରେ ସେ ଏକ ପୁତ୍ର ସନ୍ତାନର ବାପ ହେଲେ l ମକ୍କାର ମରୁଭୂମିରେ ଇବ୍ରାହିମ୍ ଙ୍କ ଔରସରୁ ମାତା ହାଜରା ଯେଉଁ ପୁତ୍ର ସନ୍ତାନ ଜନ୍ମଦେଲେ ତାଙ୍କ ନାମ ଇସ୍ମାଇଲ୍ ରଖା ଗଲା l ସେତେବେଳର ନୃଶଂସ ଆରବ୍ ର ଶାସକ ନମୃଦ୍ ଙ୍କ ଭୟରେ ଇବ୍ରାହିମ୍ ଲୁଚିଛପି ଏକ ଆହ୍ଲାଙ୍କ ଉପାସନା ପାଇଁ ସଭିଙ୍କୁ ପ୍ରବର୍ତ୍ତାଉଥିଲେ l ମକ୍କାର ମରୁଭୂମିରେ ଯେତେବେଳେ ସ୍ତ୍ରୀ ହାଜରା ପୁତ୍ର ଇସ୍ମାଇଲ୍ ଙ୍କୁ ଜନ୍ମଦେଇ ଅସୁସ୍ଥ ହୋଇପଡ଼ିଲେ ସେତେବେଳେ ପାଖରେ କେହି ନଥିବାରୁ ପାଣି ବୁନ୍ଦେ ପାଇଁ ସେ ଡହଳ ବିକଳ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ l ଏପରିକି ପାଖରେ ଥିବା ଦୁଇ ପାହାଡ଼ ସଫା ଓ ମରୱା କୁ ସାତଥର ଯା ଆସ କଲେ କାଳେ ଦୂର ଦୂରାନ୍ତରେ କୋଉଠୁ ପାଣି ଦେଖାଯିବ l ଠିକ୍ ଏହିସମୟରେ ସଦ୍ୟଜାତ ପୁତ୍ର ଇସ୍ମାଇଲ୍ ଭୋକରେ ନିଜର ଦୁଇ ଗୋଡ଼କୁ ବାରମ୍ବାର ଭୂମିରେ ପିଟୁଥିଲେ ସେହି ସମୟରେ ମାତା ହାଜରା ଆସି ଦେଖନ୍ତି ସେହି ପାଦର ଆଘାତରେ ମରୁଭୂମିର ସୁଷ୍କ ମାଟିରୁ ଝରଣା ଖୋଲି ଯାଇଛି ଆଉ ପ୍ରଚୁର ମାତ୍ରାରେ ପାଣି ବାହାରୁଛି l ସେହି ପାଣିକୁ ପିଇ ନିଜର ଶୋଷ ନିବାରଣ କରି ବହି ଯାଇ ନଷ୍ଟ ହେଉଥିବା ପାଣିକୁ ବନ୍ଧାଇ ଦେଇଥିଲେ l ସେହି ଦିନ ଠାରୁ ଉକ୍ତ ଝରଣାର ପାଣି ସେହି ପରିଧି ଭିତରେ ଭୂତଳରୁ ବାହାରି ଜମି ରହୁଅଛି l ଉକ୍ତ ଜମି ରହିଥିବା ପାଣିକୁ ‘ଆବେ ଜମ୍ ଜମ୍’ କୁହାଯାଉଛି l ହଜ୍ ନାମରେ ତୀର୍ଥ କରି ଯାଉଥିବା ଶ୍ରଦ୍ଧାଳୁ ମାନେ ସେହି ଜମ୍ ଜମ୍ ଜଳକୁ ଶ୍ରଦ୍ଧା ପୂର୍ବକ ପାନ କରି ଆରୋଗ୍ୟ ଲାଭକରିବା ସହିତ ସଙ୍ଗରେ ଆଣିଥାନ୍ତି l ଏଥି ସହିତ ହଜ୍ ତୀର୍ଥରେ ଯାଉଥିବା ଶ୍ରଦ୍ଧାଳୁ ହାଜରାଙ୍କ ପଦାଙ୍କ ଅନୁସରଣ କରି ସଫା ଓ ମରୱା ପାହାଡ଼କୁ ସାତଥର ଲେଖାଏଁ ଯାଆନ୍ତି ଆସନ୍ତି l ଏହା ହଜଯାତ୍ରୀଙ୍କ ପାଇଁ ବାଧ୍ୟତା ମୂଳକ l ଅଶି ବର୍ଷ ବୟସରେ ନିଜେ ପିତା ହୋଇଥିବାରୁ ପୁତ୍ର ଇସ୍ମାଇଲ୍ ଙ୍କୁ ମହାପୁରୁଷ ଇବ୍ରାହିମ୍ ଜୀଵନ ଠାରୁ ଅଧିକ ଭଲ ପାଉଥିଲେ l ଏକମାତ୍ର ପୁତ୍ର ଇସ୍ମାଇଲ୍ ଓ ଆଲ୍ଲାଙ୍କ ମଧ୍ୟରେ ଅଧିକ କାହାକୁ ଇବ୍ରାହିମ୍ ଅଧିକ ଭଲପାଆନ୍ତିର ପରୀକ୍ଷା ନେବାପାଇଁ ଆଲ୍ଲା ଇବ୍ରାହିମ୍ ଙ୍କୁ ସ୍ୱପ୍ନରେ କହିଲେ ଇବ୍ରାହିମ୍ ତୁମେ ମୋତେ ସନ୍ତୁଷ୍ଟ କରିବା ପାଇଁ ମୋ ନାମରେ ମୂଲ୍ୟବାନ୍ ସମ୍ପତ୍ତିକୁ ସମର୍ପି ଦିଅ l ତା’ ପରଦିନ ସକାଳୁ ଉଠି ନିଜ ଓଟ ଗୁହାଳରୁ ଏକ ଶହ ଓଟ କାଟି ଅନାହାରରେ କାଳାତି ପାତ କରୁଥିବା ଲୋକଙ୍କୁ ମାଂସ ସବୁ ଦାନ କରିଦେଲେ l ଏଥିରେ କିନ୍ତୁ ଆହ୍ଲା ସନ୍ତୁଷ୍ଟ ନହୋଇ ପୁଣି ସ୍ଵପ୍ନରେ କହିଲେ ମୂଲ୍ୟବାନ୍ ସମ୍ପତ୍ତି ତ୍ୟାଗ କର l ବାରମ୍ୱାର ସ୍ୱପ୍ନ ହେଉଥାଏ, ଇବ୍ରାହିମ୍ ପ୍ରତିଥର ଏକ ଶହ ଓଟ କାଟି ମାଂସ ଦାନ କରୁଥାନ୍ତି l ଏସବୁ ପରେ ପୁଣି ସେହି କଥା ଆଲ୍ଲା ଇବ୍ରାହିମ୍ ଙ୍କୁ ସ୍ୱପ୍ନରେ କହିଲେ l ଏଥର କିନ୍ତୁ ଜ୍ଞାନୀ ମହାପୁରୁଷ ଇବ୍ରାହିମ୍ ବୁଝିପାରିଲେ l ଜୀବନ ଠାରୁ ଅଧିକ ଭଲପାଉଥିବା ପୁତ୍ରକୁ ଶୀଘ୍ର ଗାଧୋଇ ପାଧୋଇ ନୂଆ ଜାମାରେ ଇସ୍ମାଇଲ୍ ଙ୍କୁ ପ୍ରସ୍ତୁତ କରିବାକୁ ସହଧର୍ମିଣୀ ହାଜରାଙ୍କୁ କହିଲେ l ଇସ୍ମାଇଲ୍ ମଧ୍ୟ ଖୁସି ରେ ପ୍ରସ୍ତୁତ ହୋଇ ବାପା ଇବ୍ରାହିମ୍ ଙ୍କ ସହିତ ମାମୁଁ ଘରକୁ ବୁଲିଯିବାକୁ ପ୍ରସ୍ତୁତ ହୋଇଗଲେ l ବାପା ଇବ୍ରାହିମ୍ ପୁତ୍ର ଇସ୍ମାଇଲ୍ ଙ୍କୁ ସାଥିରେ ଧରି ଦୂର ପାହାଡ଼କୁ ଚାଲିଯାଇ ପୁତ୍ର ଇସ୍ମାଇଲ୍ ଙ୍କୁ ଆଲ୍ଲା ଙ୍କ ସ୍ୱପ୍ନ କଥା କହିଲେ l ପୁତ୍ର ଇସ୍ମାଇଲ୍ ପିତା ଇବ୍ରାହିମ୍ ଙ୍କୁ ହସି ହସି କହିଲେ ବାପା କାଳବିଳମ୍ୱ ନକରି ମତେ ମାଟି ଉପରେ ଶୁଆଇ ଆପଣ ଆଣିଥିବା ତୀକ୍ଷ୍ଣ ଅସ୍ତ୍ରରେ ମତେ ହଲାଲ୍ (ଶିର ଚ୍ଛେଦନ) କରି ପରମାତ୍ମା ଆଲ୍ଲାଙ୍କୁ ଆଗ ସନ୍ତୁଷ୍ଟ କର l ପୁଅର ସାହସ ଦେଖି ଇବ୍ରାହିମ୍ ମାଟିରେ ଅଲିଅଳୀ ପୁତ୍ର ଇସ୍ମାଇଲ୍ ଙ୍କୁ ଶୁଆଇ ବେକରେ ଅସ୍ତ୍ର ଚାଳନା କଲେ l ବାରମ୍ବାର ଚେଷ୍ଟା କରି ଅସଫଳ ହେଉଥିବାରୁ ପୁତ୍ର ଇସ୍ମାଇଲ୍ ବାପାଙ୍କୁ କହିଲେ ବୋଧହୁଏ ଆପଣ ମୋ ମୁହଁକୁ ଦେଖୁଥିବାରୁ ଦୁଃଖରେ ଭାଙ୍ଗିପଡି ଠିକ୍ ରେ ଅସ୍ତ୍ର ଚାଳନା କରିପାରୁନାହାନ୍ତି l ଏଥର ମୋ ମୁଖମଣ୍ଡଳ ରେ ରୁମାଲ୍ ଢାଙ୍କି ପୁଣି ଅସ୍ତ୍ର ଚାଳନା କରନ୍ତୁ l ମହାପୁରୁଷ ଇବ୍ରାହିମ୍ ସେୟା କଲେ ତଥାପି ଛୁରୀ ଚାଲିଲା ନାହିଁ l ଏହି ସମୟରେ ଉପରୁ ଦୈବବାଣୀ ଆସିଲା ହେ ଇବ୍ରାହିମ୍ ତୁମେ ପରୀକ୍ଷାରେ ସଫଳ ହୋଇଛ ଏଥର ପୁଅକୁ ଛାଡ଼ି ସାମନାରେ ମୁଁ (ଆହ୍ଳା) ପଠାଇଥିବା ଦୁମ୍ବା (ଛେଳି ପ୍ରଜାତି) କୁ ପୁଅ ନାମରେ କାଟି କୁର୍ବାନୀ (ତ୍ୟାଗ) କର l ତାହା ହିଁ ହେଲା l ଇବ୍ରାହିମ୍ ଏହି ଶକ୍ତ ପରୀକ୍ଷାରେ ଈଶ୍ୱରଙ୍କୁ ସନ୍ତୁଷ୍ଟ କଲେ l ସେହିଦିନ ଠାରୁ ଇସଲାମ୍ ଧର୍ମାବଲମ୍ବୀ ମାନେ ନିଜ ଜ୍ଞାନ୍ତି କୁଟୁମ୍ବର ସଦସ୍ୟଙ୍କ ନାମରେ କୁର୍ବାନୀ ଦିଅନ୍ତି l ମୋଟାମୋଟି ଭାବରେ ଏହି ତ୍ୟାଗ ଓ ସମର୍ପଣର ପର୍ବକୁ ପ୍ରତ୍ୟେକ ଅର୍ଥଶବଳ ଇସଲାମ୍ ଧର୍ମାବଲମ୍ବୀ ନିଷ୍ଠାର ସହ ପାଳନ କରିଆସୁଛନ୍ତି l
ନିଷ୍ଠା ଓ ତ୍ୟାଗର ପର୍ବ ଇଦୁଜ୍ ଜୁହା ପାଳିତ
