ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୈତିକ ଦାଉ ସାଧିବା ଲାଗି କେରଳର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଉପରେ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଦି ଓ ଶାହାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଏବଂ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଯେଭଳି ବର୍ବରୋଚିତ ଚଢାଉ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ବକ୍ତାମାନେ ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମେଶ୍ୱର ସାମନ୍ତରାୟ କେନ୍ଦ୍ର ସରକାରର ଏହି ସ୍ଵୈରତାନ୍ତ୍ରିକ ଆକ୍ରୋଶମୂଳକ ଦମନ ନୀତିକୁ କଟୁ ସମାଲୋଚନା କରି କହିଥିଲେ ଯେ ଶିକ୍ଷା, ସ୍ଵାସ୍ଥ୍ୟ, ଦାରିଦ୍ର୍ୟ ବିମୋଚନ, କର୍ମ ନିଯୁକ୍ତି, ସାଧୁତା, ସାଂପ୍ରଦାୟିକ ସଦ୍ଭାବ ରକ୍ଷାରେ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିଥିବା ଦୀର୍ଘ କାଳର କମ୍ୟୁନିଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଲକ୍ଷ୍ୟରେ ପିନାରାଇଙ୍କ ପରିବାର ବର୍ଗଙ୍କ ଉପରେ ଚଢ଼ାଉ କରିଥିବା ଇଡିକୁ ବିଫଳ ହୋଇ ଖାଲିହାତରେ ଫେରିବାକୁ ପଡିଛି। ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଯଦି ମୋଦି ସରକାର ଏଭଳି ନଗ୍ନ ପାଗଳାମି ପ୍ରଦର୍ଶନ କରେ, ତେବେ ତାଙ୍କୁ ବାଟକୁ ଆଣିବା ଲାଗି ଆଗାମୀ ଦିନରେ ଦୁର୍ବାର ଲଢେଇ ହେବ ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି।ପାର୍ଟିର ବରିଷ୍ଠ ସାଥୀ ନିତ୍ୟାନନ୍ଦ ପରିଡ଼ା, ସୁରେଶ ଚନ୍ଦ୍ର ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ବୈକୁଣ୍ଠ ଖୁଣ୍ଟିଆ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।
ଇଡି ଆକ୍ରୋଶ ବିରୁଦ୍ଧରେ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ
