୨୦ରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ, ଆନ୍ଦୋଳନରେ ସାମିଲ ହେବ ନୟାଗଡ଼ ବ୍ୟବସାୟୀ ସଂଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୨୦ ତାରିଖରେ ଦେଶବ୍ୟାପୀ ଔଷଧ ବ୍ୟବସାୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ୍ ଓ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଓ ଡ୍ରଗିଷ୍ଟର ଆହ୍ବାନ କ୍ରମେ ନୟାଗଡ଼ ଜିଲା ଔଷଧ ବ୍ୟବସାୟୀ ସଂଘ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛି। ସଂଘ ପକ୍ଷରୁ କୁହାଯାଇଛି, ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘ ସାରା ଦେଶରେ ୧୨ ଲକ୍ଷ ୪୦ ହଜାରରୁ ଅଧ‌ିକ କେମିଷ୍ଟ ଏବଂ ବିତରକଙ୍କୁ ପ୍ରତିନିଧ୍ବ କରୁଛି। ୫କୋଟିରୁ ଅଧ‌ିକ ପରିବାର ‘ଔଷଧ ବ୍ୟବସାୟ ଜରିଆରେ ପରିବାର ପ୍ରତିପୋଷଣ କରୁଛନ୍ତି।

ଔଷଧ ବ୍ୟବସାୟ ଏବଂ ଜନସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥ‌ିବା ଅନେକ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ତାହା ସମାଧାନ ହୋଇପାରୁନାହିଁ । ବଡ଼ କର୍ପୋରେଟ୍‌ଗୁଡ଼ିକ ଦ୍ଵାରା ଅତ୍ୟଧ‌ିକ ରିହାତି ମୂଲ୍ୟ ନିର୍ଦ୍ଧାରଣ, ଅବୈଧ ଇ- ଫାର୍ମାସିର ସଂଖ୍ୟା ଅନିୟନ୍ତ୍ରିତ ବୃଦ୍ଧି ଔଷଧ ବଣ୍ଟନ ବ୍ୟବସ୍ଥାକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ଏହା କେବଳ କ୍ଷୁଦ୍ର ଏବଂ ମଧ୍ୟମ ଔଷଧ ଅସ୍ତିତ୍ଵକୁ ବିପଦରେ ପକାଇ ନାହିଁ ବରଂ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ବୈଧ ପ୍ରେସକ୍ରିପସନ ବିନା ଔଷଧ ବିକ୍ରୟ, ପ୍ରେସକ୍ରିପସନର ବାରମ୍ବାର ଅପବ୍ୟବହାର, ଆଣ୍ଟିବାୟୋଟିକ୍ ଏବଂ ଅଭ୍ୟାସ ସୃଷ୍ଟିକାରୀ ଔଷଧର ସହଜ ଉପଲବ୍ଧତା, ନକଲି କିମ୍ବା ଯାଞ୍ଚ କରାଯାଇପାରୁନଥିବା ପ୍ରେସକ୍ରିପସନର ପ୍ରସାରଣ, ଫାର୍ମାସିଷ୍ଟ ଏବଂ ରୋଗୀଙ୍କ ମଧ୍ୟରେ ସିଧାସଳଖ ପାରସ୍ପରିକ କ୍ରିୟାର ଅଭାବ, ନକଲି ଏବଂ ଅନୁପଯୁକ୍ତ ଭାବରେ ସଂରକ୍ଷଣ କରାଯାଇଥିବା ଔଷଧ ଆଦି ସାଧାରଣ ଲୋକଙ୍କ ଉପରେ ବିପଦ ସୃଷ୍ଟି କରୁଛି।

ଏହି ସବୁ ବିଷୟରେ ସରକାର ଜାଣି ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ନୟାଗଡ଼ ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟ ବନ୍ଦ ରଖି ପାଇଁ ନୟାଗଡ଼ ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘର ଜିଲା ସଭାପତି ପ୍ରହ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ନୟାଗଡ଼ ଜିଲାପାଳ ମଧୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ସ୍ଵାଇଁ, ଭେଷଜ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଲକ୍ଷ ଲକ୍ଷ ଔଷଧ ବ୍ୟବସାୟୀଙ୍କ ଜୀବିକାର ସୁରକ୍ଷା ପାଇଁ ସଂଘ ପକ୍ଷରୁ ପ୍ରଶାସନ ଓ ଜନସାଧାରଣଙ୍କୁ ଅବଗତ କରାଯାଇଛି।

Related posts