ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ଆଜି ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଲକୁ ଶୋକାକୁଳ କରିଦେଇଛି। ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା। ତାଙ୍କୁ ରଣପୁର ମେଡିକାଲକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଶବ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗୋପାଳପୁର ବଜାରରେ ଏକ ଶୋକାକୁଳ ଶୋଭାଯାତ୍ରା କରାଯାଇ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ସ୍ବର୍ଗତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଦେଉଳିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ମେଡିକାଲକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଏହା ସହ ଆଇନଜୀବୀ ପ୍ରିୟବ୍ରତ ପ୍ରହରାଜ, ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ଲିଙ୍ଗରାଜ ନାୟକ ଓ ଶିକ୍ଷକ ସଂଗଠନର ବିଭିନ୍ନ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଅପରାହ୍ନରେ ରଣପୁର ବ୍ଲକ ପଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦମ୍ବଝୋଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନୁପମା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଛି।

ଏକ ଦିନରେ ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବିୟୋଗ ଘଟଣାରେ ରଣପୁର ବ୍ଲକର ଶିକ୍ଷକ ମହଳ ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

Related posts