ନୟାଗଡ଼,(ନୟାଗଡ଼ ଦର୍ପଣ): ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି। ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ ବାହାରେ ରହି ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଏହି ବ୍ୟକ୍ତିମାନେ ଏକ ର୍ୟାକେଟ ଗଠନ କରି ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ଆଇନଜୀବୀ, ସାମ୍ବାଦିକ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଅଶାଳୀନ ଭାବେ ପୋଷ୍ଟ କରୁଛନ୍ତି । ଏହି ର୍ୟାକେଟରେ ଆହୁରି କିଛି ଲୋକ ପ୍ରଚ୍ଛଦ ପଟରେ ରହିଛନ୍ତି । ଗତକିଛି ଦିନ ହେବ ଏହି ଗୋଷ୍ଠି ନୟାଗଡ଼ ଜିଲ୍ଲାର ପ୍ରମୂଖ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବେ ଏବଂ ସଂଘ ନାମରେ ଅନେକ ଅପମାନଜନକ ପୋଷ୍ଟ କରି ଆସୁଛନ୍ତି । ମୁଖ୍ୟ କାର୍ପଟଦାର ଭାବେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ନୟାଗଡ଼ ଜିଲ୍ଲାର କିଛି ଖଳ ପ୍ରକୃତିର ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡ଼ ସାମ୍ବାଦିକ ଭବନର ସଦସ୍ୟମାନେ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନୟାଗଡ଼ ସାମ୍ବାଦିକ ଭବନରେ ଗତକାଲି ରାତିରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବା ପରେ ଆଜି ଭବନ ପରିସରରୁ ଉପଦେଷ୍ଟା ଶ୍ରୀକାନ୍ତ କୁମାର ଖଟେଇ, ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ଉପସଭାପତି ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ନୟାଗଡ଼ ଏସ୍ପିଙ୍କୁ ସାକ୍ଷାତ କରିଥିଲେ। ସାର୍ବଜନୀନ କ୍ଷେତ୍ରରେ ପ୍ରତିଷ୍ଠିତ ସାମ୍ବାଦିକଙ୍କ ବିରୁଦ୍ଧରେ ଘୃଣା ଏବଂ ଅବିଶ୍ୱାସ ସୃଷ୍ଟି କରିବା, ଭୟଭୀତ କରିବା ଏବଂ ଧମକ ଦେବା,ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମାନହାନିକାରକ ମନ୍ତବ୍ୟ ସହିତ ବ୍ୟକ୍ତିଗତ ଆକ୍ରମଣ କରିବା ଏବଂ ବ୍ଲାକମେଲ୍ କରି ମାସିକ ଚାନ୍ଦା ଆଦାୟ କରିବାକୁ ଚେଷ୍ଟା କରିବା ଅଭିଯୋଗ ହୋଇଛି। ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ସେମାନଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ, ସେମାନଙ୍କ କାର୍ଯ୍ୟକଳାପର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆଇନ ଅନୁଯାୟୀ ସମ୍ପୃକ୍ତ ଫେସବୁକ୍ ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ଦାବି କରାଯିବା ସହ ଏନେଇ ଅନେକ ପ୍ରମାଣ ଏସ୍ପିଙ୍କୁ ଦିଆଯାଇଛି ।
