ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା କ୍ଷେତମଜଦୂର ୟୁନିଅନ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅବସରରେ କଷ୍ଟିଡାକୁଆ ଭବନରେ ମଇ ୩ ତାରିଖରେ କେନ୍ଦ୍ର ସରକାର ବନ୍ଦ କରିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପୁନଃ ପ୍ରଚଳନ ଓ ଦୈନିକ ସାତଶହ ଟଙ୍କା ମଜୁରୀ ସହିତ ଦୁଇଶହ ଦିନର କାମ ନିମନ୍ତେ ଆନ୍ଦୋଳନ ଗଢି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଲାଲ୍ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀକୁ ଉଦ୍ଘାଟନ କରି ସଂଗଠନର ରାଜ୍ୟ ସଂପାଦକ କମ୍ରେଡ୍ ନିର୍ମଳ ଚନ୍ଦ୍ର ନାୟକ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ ନୀତିକୁ କଟୁ ସମାଲୋଚନା କରିବା ସହିତ କାମ ଅଭାବରୁ କ୍ଷେତ ମୂଲିଆ ଓ ଅଭାବୀ ଚାଷୀମାନେ କିଭଳି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି, ତାହାର ନିଛକ ଚିତ୍ର ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାରେ ଦୁର୍ବାର ମୂଲିଆ ତଥା ଭାଗଚାଷୀ ଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ। ସଂଗଠନର ଜିଲ୍ଲା ସଂପାଦକ ଦୁଃଶାସନ ଜେନା ରିପୋର୍ଟ ଉପସ୍ଥାପିତ କରିଥିଲେ ଏବଂ ଆଠଟି ବ୍ଳକର ପ୍ରତିନିଧି ମାନେ ଆଲୋଚନା କରିଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ବିଶିଷ୍ଟ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର, କୃଷକ ନେତା ପବିତ୍ର ଇନ୍ଦ୍ରଜିତ, କ୍ଷେତ ମୂଲିଆ ୟୁନିଅନର ରାଜ୍ୟ କର୍ମକର୍ତ୍ତା ନିତ୍ୟାନନ୍ଦ ପରିଡ଼ା ପଛୁଆ ଜିଲ୍ଲା ନୟାଗଡ଼ରେ ପ୍ରତି ପଞ୍ଚାୟତରେ ସଂଗଠନ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ। ନୂତନ ସଭାପତି ଭାବେ କମ୍ରେଡ୍ ବିରଞ୍ଚି ନାୟକ, ଉପସଭାପତି ଭାବେ ସାଥୀ ଶରତଚନ୍ଦ୍ର ବେହେରା ଓ ଜୟନ୍ତୀ ମହାରଣା, ସଂପାଦକ ଭାବେ ଦୁଃଶାସନ ଜେନା, ଯୁଗ୍ମ ସଂପାଦକ ଭାବେ ପ୍ରଭାତ ବେହେରା ଓ ଅଶୋକ ନାୟକ ଙ୍କ ସହିତ ଏକ ସତର ଜଣିଆ ଜିଲ୍ଲା କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।
ମନରେଗା ପ୍ରଚଳନ କର – କ୍ଷେତ ମୂଲିଆ ୟୁନିଅନ
