ଘର ଭିତରୁ ମା’ ଓ ୩ବର୍ଷୟ ପୁଅର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଇଟାମାଟି,(ନୟାଗଡ଼ ଦର୍ପଣ):- ଘର ଭିତରୁ ମା’ ପୁଅଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ। ଏଭଳି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ଇଟାମାଟି ଥାନା ଶଙ୍ଖେଇ ଗ୍ରାମରୁ। ଶଙ୍ଖେଇ ଗାଁ’ର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର ୩ବର୍ଷର ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରୁ ନାହିଁ । ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଅକୁ ମାରିଦେଇ ମା ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ପୁଅର ଦୁଷ୍ଟାମୀ ରୋକିବାକୁ ମାଡ଼ ମାରିବା ବେଳେ ପୁଅର ମୃତ୍ୟୁ ହୋଇଯିବା ପରେ ମା’ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମାତ୍ର ମୃତା ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅକୁ ନିର୍ଯ୍ୟାତନା ଦିଆ ଯାଉଥିଲା ଏବଂ ପାରିବାରିକ କଳହ ଲାଗି ରହିଥିଲା, ଯେଉଁଥି ପାଇଁ ଏ ହତ୍ୟା କରାଯାଇଛି ବୋଲି କହିଛନ୍ତି ମୃତା ମିଲିଙ୍କ ମା’ ଏବଂ ଭାଇ। ସେପଟେ ଘଟଣା ଘଟିବା ପରେ ମୃତା ମିଲିଙ୍କ ସ୍ୱାମୀ ପ୍ରସନ୍ନ ଫେରାର ହୋଇଯାଇଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି ।

Related posts