ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳିକା ନିରୁପମା ଖଟେଇ ଯୋଗଦାନ କରି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।
ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ଭାବେ ଦିଗାମ୍ବର ପ୍ରଧାନ, ଶିଶିର କୁମାର ମହାପାତ୍ର ଏବଂ ଗଜେନ୍ଦ୍ର କୁମାର ମହାରଣା ରହିଥିଲେ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ ତାରିଖରୁ ମଇ ୧୫ ପର୍ଯ୍ୟନ୍ତ ମୁନିସିପାଲିଟି ଅନ୍ତର୍ଗତ ୧୬ଟି ୱାର୍ଡରେ ଥିବା ସମସ୍ତ ବାସୋପଯୋଗୀ ଗୃହ ଗୁଡ଼ିକର ଚି଼ହ୍ନଟ ଏବଂ ଗଣନା ସହିତ ସେଗୁଡିକର ତାଲିକା କରାଯିବ। ଏହି ପ୍ରଶିକ୍ଷଣ ଶିବିରରେ ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ୮୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୃହ ଏବଂ ଜନଗଣନାକାରୀ ଭାବେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
