ଓଡଗାଁ ଶ୍ରୀରଘୁନାଥ ମନ୍ଦିରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା”ର ଶୁଭାରମ୍ଭ

ଓଡଗାଁ, (ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରଘୁନାଥ ମନ୍ଦିର ପରିସରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ମହାପ୍ରଭୁ ଶ୍ରୀରଘୁନାଥଙ୍କ କର କମଳରେ ଏହି ଖବରକାଗଜର ପ୍ରଥମ ସଂଖ୍ୟାକୁ ସମର୍ପଣ କରାଯାଇ ଶୁଭ ଉନ୍ମୋଚନ କରାଯାଇଛି।

ଶ୍ରୀରାମ ନବମୀ ଭଳି ଏକ ଶୁଭ ଦିନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ପତ୍ରିକାର ଯାତ୍ରା ଆରମ୍ଭ ହୋଇଛି। ଖବରକାଗଜର ମାଲିକ, ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ମନ୍ଦିରରେ ପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣିପାତ କରିଥିଲେ। ସେ ମହାପ୍ରଭୁଙ୍କ ନିକଟରେ ରାଜ୍ୟର ମଙ୍ଗଳ ପାଇଁ ଏବଂ ଖବରକାଗଜର ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଖବରକାଗଜଟି ସମାଜର ପ୍ରକୃତ ସ୍ଵର ହେବ ବୋଲି ସେ ଏହି ଅବସରରେ ଆଶା ପ୍ରକଟ କରିଛନ୍ତି।

ଏହି ଉନ୍ମୋଚନ ଉତ୍ସବରେ ଅନେକ ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବରେନ୍ଦ୍ର ନନ୍ଦ, ସୁଶାନ୍ତ କୁମାର ସାହୁ, କାର୍ତ୍ତିକ ପଣ୍ଡା, ଅଶୋକ କୁମାର ସାହୁଙ୍କ ସହିତ ଅନନ୍ୟା ବୁଦ୍ଧିଜୀବୀ ଯୋଗଦେଇ ଖବରକାଗଜର ଉତ୍ତୋରତର କାମନା କରିଥିଲେ। ଏହା ସହିତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତେ “ବ୍ରେକ୍ ଟାଇମ୍ ଓଡିଶା”ର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ଏହା ଲୋକଙ୍କ ନିକଟରେ ସତ୍ୟ ଓ ନିରପେକ୍ଷ ଖବର ପହଞ୍ଚାଇବାରେ ସଫଳ ହେବ ବୋଲି ମତ ଦେଇଥିଲେ।

“ବ୍ରେକ୍ ଟାଇମ୍ ଓଡିଶା” କେବଳ ଏକ ଖବରକାଗଜ ନୁହେଁ, ବରଂ ଏହା ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ। ଏହାର ସରଳ ଭାଷା ଏବଂ ସଠିକ୍ ଉପସ୍ଥାପନା ପାଠକମାନଙ୍କୁ ବହୁତ ପସନ୍ଦ ଆସିବ ବୋଲି ଅତିଥିମାନେ କହିଛନ୍ତି। ସମ୍ପାଦକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ସଂସ୍କୃତି ଉପରେ ଏହି ଖବରକାଗଜ ବିଶେଷ ଗୁରୁତ୍ୱ ଦେବ।
ଶ୍ରୀରାମ ନବମୀର ଏହି ପବିତ୍ର ଅବସରରେ ଲୋକାର୍ପିତ ହୋଇଥିବା ଏହି ଖବରକାଗଜ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।
“ଆମେ ସର୍ବଦା ସତ୍ୟ ସହିତ ରହିବୁ ଏବଂ ପାଠକମାନଙ୍କୁ ଉନ୍ନତମାନର ଖବର ଯୋଗାଇ ଦେବୁ।” – ସମ୍ପାଦକ ମଣ୍ଡଳୀ

Related posts