ଦୀର୍ଘଦିନର ଦାବୀ ପରେ ସାକାରହେଲା ଓକିଲ ସଙ୍ଘର ଦାବୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ମାନଙ୍କ ବ୍ୟବହାର ପାଇଁ ବହୁ ପ୍ରତିକ୍ଷୀତ ଓକିଲ ସଙ୍ଘ ଗୃହ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ଏବଂ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଉପସ୍ଥିତିରେ ଶୁଭ ଉଦଘାଟନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାର ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଖଣ୍ଡପଡା ଓକିଲ ସଙ୍ଘ ସଭାପତି ସଂଗ୍ରାମ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, ଓଡଗାଁ ଓକିଲ ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଦଶପଲ୍ଲା ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ପାତ୍ର ଏବଂ ଦଲିଲ ଲେଖକ ମୋହରିର ସଙ୍ଘ ସଭାପତି ଖିରୋଦ ମହାପାତ୍ର ପ୍ରମୁଖ ବାଚସ୍ପତି ଏବଂ ଜିଲ୍ଲାପାଳଙ୍କୁ ଯଥାରିତି ସ୍ୱାଗତ କରିଥିଲେ। ବହୁତ ଅପେକ୍ଷା ପରେ ଜିଲ୍ଲାପାଳଙ୍କ ଅଦାଲତ ପରିସରରେ ଓକିଲ ମାନଙ୍କ ପାଇଁ ସୁନ୍ଦର ବାର ହଲ ପ୍ରଦାନ ପାଇଁ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ସ୍ବଦେଶ ମିଶ୍ର ବାଚସ୍ପତି ଏବଂ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ। ନିଜେ ଆଇନଜୀବୀ ଡିଗ୍ରୀ ହାସଲ କଲାପରେ ଓକିଲାତି କରିବା ପାଇଁ ପ୍ରବଳ ଇଛାଶକ୍ତି ଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିବା ବାଚସ୍ପତି ଶ୍ରୀମତୀ ପାଢ଼ୀ ଭାବବିହ୍ୱଳ ହୋଇ କହିଥିଲେ। ଦଳମତ ନିର୍ବିଶେଷରେ ଜିଲ୍ଲାର ବିକାଶରେ ସାମିଲ ହେବାପାଇଁ ଶ୍ରୀମତୀ ପାଢ଼ୀ ଓକିଲ ମାନଙ୍କୁ ଆହ୍ୱାନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦାର, ନୟାଗଡ଼ ବାର ବରିଷ୍ଠ ସଦସ୍ୟ ଦଣ୍ଡପାଣି ନାୟକ, ମନୋରଞ୍ଜନ ମହାପାତ୍ର, ପ୍ରତାପ ନନ୍ଦ, ଅନୱାର ମଲ୍ଲିକ, ଅରୁଣ ମହାପାତ୍ର, କାଳୁଚରଣ ସ୍ୱାଇଁ, ବିଶ୍ୱେଶ ରଞ୍ଜନ ମହାପାତ୍ର, ଦୀନବନ୍ଧୁ ମହାନ୍ତି, କିଶୋର ଚନ୍ଦ୍ର ମହାପାତ୍ର, ସଙ୍ଘ କାର୍ଯ୍ୟକାରୀ କମିଟି ସଦସ୍ୟ ଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବାର ଆସୋସିଏସନ ସଦସ୍ୟ ଆଇନଜୀବୀ ଯୋଗ ଦେଇଥିଲେ। ସଙ୍ଘ ଉପସଭାପତି ଶ୍ରୀ ସନ୍ତୋଷ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
