ନୟାଗଡ଼, (ନୟାଗଡ଼ ଦର୍ପଣ): ଚିରଵନ୍ଦନୀୟ ରାମକୃଷ୍ଣ ପରମହଂସଙ୍କ ୧୯୨ ତମ ଜୟନ୍ତୀ ସ୍ଥାନୀୟ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ହୋମଯଜ୍ଞ, ଜପଧ୍ଯାନ ସହିତ ସକାଳ ୧୦ଟା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା।

ଏହି ସଭାରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଯୋଗଦେଇ ଠାକୁର ଶ୍ରୀରାମକୃଷ୍ଣଙ୍କ ଜୀବନୀ ବିଷୟରେ ଆଲୋଚନା କରି କହିଥିଲେ, ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ ଖୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । ଖୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବାଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ ଖୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁର ଠାରୁ ପ୍ରାୟ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ ଖୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା ।ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ଖୁଦିରାମ ! ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । ଖୁଦିରାମ କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରିବ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ?’ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୁପ୍ତ ହେବି ।’ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଓ ଅନୁଭୂତି ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ଯୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି। ଯଥା ସମୟରେ ଶ୍ରୀରାମକୃଷ୍ଣ ଙ୍କର ଜନ୍ମ ହେଲା।

ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ ।
ଠାକୁର କୁହନ୍ତି-: ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ସେହିପରି ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ ।
ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ ।
ପରିଶେଷରେ ସମସ୍ତ ଗୁରୁଜୀ ଗୁରୁମା
ଏହି ମହାପୁରୁଷ ,ପରମ ପୂଜ୍ୟ ପରମହଂସଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ଆତ୍ମାର ସ୍ମୃତି ଚାରଣ କରିଥିଲେ।।
