ଗୁଟଖା ହୋଲସେଲର କମଳ ସାହୁ ଘରେ ପୁଲିସ ଚଢ଼ାଉ, ବ୍ୟାପକ ପରିମାଣର ଖଇନି, ଗୁଟଖା ଜବତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ସଦରଥାନା ପୁଲିସକୁ ଆଜି ପୁଣି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ଖୁଣ୍ଟୁବନ୍ଧ ସ୍ଥିତ ଘର ପଛପାଖରେ ରହିଥିବା ଗୋଦାମ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଓ ଖଇନି ଜବତ କରିଛି । ଖୁଣ୍ଟୁବନ୍ଧ ଗାଁ ମଝିରେ ରହିଥିବା ନିଜ ବାସଭବନ ପଛ ପାଖରେ ଏକ ବିଶାଳ ଗୋଦାମ କରାଯାଇଥିବା ନେଇ ପୁଲିସ ଖବର ପାଇଥିଲା । ସଦରଥାନା ଅଧିକାରୀ ପ୍ରିୟତମା ବେହେରା ସଦଳବଳେ ଚଢ଼ାଉ କରିଥିଲେ । ଘର ଭିତର ଓ ବାହାର ତାଲା ଝୁଲୁଥିବା ବେଳେ ଘରେ ଭିତରେ ରହିଥିବା ଲୋକେ ଭୟରେ ଖୋଲି ନଥିଲେ । ପୁଲିସ ଘର ପଛର ପାଖରୁ ଭିତରକୁ ପଶି ଗୋଦାମ ତାଲା ଭାଙ୍ଗିଥିଲା । ନୟାଗଡ଼ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା । ଉକ୍ତ ଗୋଦମ ଘର ଭିତରୁ ଅନେକ ଗୁଟଖା ଓ ଖଇନି ବସ୍ତା ଜବତ କରାଯାଇଛି।

ଏହା ବାଦ ଗୋଦାମ ନିକଟସ୍ଥ ଖାଲି ସ୍ଥାନରେ ବ୍ୟାପକ ପରିମାଣର ଗୁଟଖା, ଜର୍ଦ୍ଦା, ଖଇନି ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ସ୍ଥାନରେ ଏବେବି ନିଆଁ ଜଳୁଥିବା ଦେଖାଯାଇଛି । ଗୁଟଖା, ଖଇନି ସବୁ ଗତକାଲି କିମ୍ବା ଦୁଇ ଦିନ ପୂର୍ବରୁ ନିଆଁ ଲଗାଯାଇଥିବା ପୁଲିସ ଅନୁମାନ କରୁଛି । ନୟାଗଡ଼ରେ ବେଆଇନ ଗୁଟଖା କାରବାର ଉପରେ ପୁଲିସର କଡ଼ା ପଦକ୍ଷେପକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ନୟାଗଡ଼ ଜିଲ୍ଲା ଓ ଆଖପାଖ ଜିଲ୍ଲାରେ ବେଆଇନ ଭାବେ ଗୁଟଖା କାରବାର କମଳ ସାହୁ ଚଲାଇ ଆସୁଥିବା ପୁଲିସ ସୂଚନା ଦେଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ କମଳ ଖଇନି, ଗୁଟଖା, ଜର୍ଦ୍ଦା ଆଣି ବ୍ୟବସାୟ କରୁଥିଲେ । କମଳଙ୍କ ଚେର ରାୟପୁରରୁ ନୟାଗଡ଼ ଯାଏଁ ଲମ୍ବିଥିବା ପୁଲିସ କହିଛି । ପୁଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ଏ ପର୍ଯ୍ୟନ୍ତ ଜବତ ଗୁଟଖା, ଗାଡ଼ିର ମୁଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି ।

Related posts