ରାସ୍ତା ଉପରେ ବସିଥିଲେ ବୃଦ୍ଧ ଚାପିଦେଲା ଟ୍ରକ, ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହାଟଦ୍ଵାର ନିକଟରେ ହାଇୱା ଧକ୍କାରେ ଜଣେ ମୃତ। ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ହାଟଦ୍ଵାର ଗ୍ରାମର ଗୋବିନ୍ଦ ନାୟକ ଗାଁ ରାସ୍ତାକଡରେ ବସିଥିବା ସମୟରେ ଏକ ହାଇୱା ଦୃତଗତିରେ ଆସି ତାଙ୍କୁ ଚାପିଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଏବଂ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ଡ୍ରାଇଭର ଫୋନରେ କଥା ହୋଇ ଦୃତଗତିରେ ଗାଡି ଚଲାଉଥଲେ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଲୋକମାନେ ଜାତୀୟରାଜପଥକୁ ଅବରୋଧ କରିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଥିଲା। ଡ୍ରାଇଭରକୁ ଗ୍ରାମବାସୀ ଅଟକ ରଖ୍ ପୋଲିସ ଜିମା ଦେଇଛନ୍ତି। ଗୋବିନ୍ଦଙ୍କର ଦୁଇଟି ପୁଅ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ସେ ଦୁଇ ବୋହୁ ଏବଂ ସେମାନଙ୍କ ପିଲାମାନଙ୍କୁ ଶ୍ରମିକ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗରିବ ବର୍ଗର ଏହି ପରିବାରକୁ ସହାୟତା ପାଇଁ ଲୋକମାନେ ଦାବି କରିଛନ୍ତି। ସେପଟେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁ ଏବଂ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରିଥିଲେ।ତହସିଲଦାର ଶ୍ରୀଯୁକ୍ତ ସ୍ବାଇଁଙ୍କ ନିର୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ହଜାର ଟଙ୍କାର ସହାୟତା ରାଶି ଦେବା ପରେ ରାସ୍ତାରୋକ ହଟିଥିଲା।

Related posts