ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ଯକ୍ଷତାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପିଟିଏସ ପଡ଼ିଆରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟା୧୫ରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ୭ଟା ୩୦ରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ରତ୍ୟୁଷରେ ରାମଧୂନ ପରିବେଷଣ କରାଯିବ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ। ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଜିଲ୍ଲା କାରାଗାରର କଏଦୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯିବାର କାର୍ଯ୍ୟକ୍ରମ କରାଯାଇଛି। ଏଥି ସହିତ କିପରି ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଆଜିର ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପରିଚାଳନା କରିଥିଲେ।
ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
