ଘରୋଇ ଉପଭୋକ୍ତାଙ୍କୁ ୩୦୦ରୁ ୪୦୦ ୟୁନିଟ ମାଗଣା ବିଜୁଳି ଓ କୃଷି କ୍ଷେତ୍ରରେ ଚାଷୀଙ୍କୁ ଦେୟ ମୁକ୍ତ ବିଜୁଳି ଯୋଗାଣ ଦାବୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଅଥଚ ସମଗ୍ର ଦେଶରେ ଘରୋଇ ବିଜୁଳି ଉପଭୋକ୍ତାମାନେ ସବୁଠାରୁ ଅଧିକ ଶୋଷିତ ଓ ଅବହେଳିତ। ଓଡିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ ୨୦/୨୫ ଭାଗ କୃଷି ଉପଭୋକ୍ତାଙ୍କୁ ସମ୍ପୂର୍ଣ ତଥା ମୋଟ ୩୦ରୁ ୩୫% ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ଲେଖାଏଁ ବିଜୁଳି ଦେୟ ଛାଡ଼ କରିଥିବାବେଳେ ଓଡ଼ିଶାର ମାତ୍ର 2% କୃଷି ଉପଭୋକ୍ତା ଓ ୭ରୁ ୮% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ ମଧ୍ୟ ମାଗଣାରେ ଦିଆଯାଉ ନାହିଁ। ଓଡିଶାରେ ବ୍ୟବହୃତ ହେଉଥିବା ମୋଟ ୭୦% ବିଜୁଳି ଶିଳ୍ପକ୍ଷେତ୍ରକୁ ଦିଆ ଯାଉଛି। ସେଥିରେ ସାମାନ୍ୟ ଦରବୃଦ୍ଧି କଲେ ଓଡ଼ିଶାର ସମସ୍ତ ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇ ପାରିବ। ତେଣୁ ଅନ୍ୟାୟ ମୂଳକ ଭାବେ ଘରୋଇ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ସୁରକ୍ଷା ଜମା ଦାଖଲ କରିବା ପାଇଁ ବାଧ୍ୟ କରିବା ଛାଡି ସରକାର ସବସିଡି ଜରିଆରେ ଘରୋଇ ଉପଭୋକ୍ତାଙ୍କୁ ୩୦୦ରୁ ୪୦୦ୟୁନିଟ ବିଦ୍ୟୁତ ଦେୟ ଛାଡ଼ କରିବା ସହ ସମ୍ପୂର୍ଣ କୃଷି କ୍ଷେତ୍ରକୁ ବିଜୁଳି ଦେୟମୁକ୍ତ କରାଯାଉ ବୋଲି ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଦାବୀ କରିଛନ୍ତି।

ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟ ମାନଙ୍କରେ ୧୪୦୦କୋଟିରୁ ନେଇ ୩୨୫୦କୋଟି ଟଙ୍କାର ସବସିଡି ଦେଇ ସମସ୍ତ କୃଷକଙ୍କ ବିଜୁଳି ଦେୟ ଛାଡ଼ କରିବା ସହିତ ୯୦% ଘରୋଇ ଉପଭୋକ୍ତାଙ୍କ ଦେୟ ସମ୍ପୂର୍ଣ ଛାଡ଼ କରିବାକୁ ଶ୍ରୀ ଦାଶ ଦାବୀ କରିଛନ୍ତି। ଓଡିଶାରୁ ଉତ୍ପାଦିତ ୨୪୦ନିୟୁତ ମ୍ୟାଟ୍ରିକ ଟନ କୋଇଲାରୁ କେବଳ ୨୨ନିୟୁତ ଟନ କୋଇଲା ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଯୋଗ ହେଊଛି। ତେବେ ଏଥିପାଇଁ ଓଡିଶାକୁ ବହୁମୂଲ୍ୟ ଦେବାକୁ ପଡୁଛି। ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଥିବାବେଳେ ଓଡ଼ିଶାର ଭୁବନେଶ୍ୱର ସମେତ ୩୦ ସହର ପ୍ରଦୂଷିତ। ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ସରକାର ତୁରନ୍ତ ଏଏସଡ଼ି ପ୍ରତ୍ୟାହାର କରିବା ସହିତ ନିର୍ବାଚନୀ ଇସ୍ତାହାର ଅନୁସାରେ ଅନ୍ୟୁନ ୩୦୦ରୁ ୪୦୦ୟୁନିଟ ଛାଡ଼ କରନ୍ତୁ। ସେହିପରି ନୟାଗଡ଼ ଜିଲ୍ଲାବ୍ୟାପି କୃଷି ଉତ୍ପାଦନ ଆଖିଦୃଶିଆ ଭାବେ ବଢ଼ାଇବାକୁ ହେଲେ କୃଷିଭିତ୍ତିକ ଶିଳ୍ପର ପ୍ରୋତ୍ସାହନ କରନ୍ତୁ ବୋଲି ଶ୍ରୀ ଦାଶ ଆହ୍ୱାନ କରିଛନ୍ତି।
ବିଜେପି ସରକାରଙ୍କ କମ୍ପାନୀ ପ୍ରିତୀ ପାଇଁ ଉପଭୋକ୍ତାଙ୍କ ଜମା ରାଶି ବାବଦ ସୁଧର ପରିମାଣ ୬.୫% ହୋଇଥିବା ବେଳେ କମ୍ପାନୀ କାହିଁକି ଉପଭୋକ୍ତାଙ୍କ ବକେୟା ବାବଦ ଦେୟ ୧୫% କାହିଁକି ଗଣିବେ ବୋଲି ସେ କଂଗ୍ରେସ ପ୍ରଶ୍ନ କରିଛି। ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ଟିପିସିଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ କରାଯାଇ ଟାଟା ପାୱାର ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚାରଣ ମଲ୍ଲ, ଓଡଗାଁ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ବରିଷ୍ଠ ନେତା ମଦନମୋହନ ବିଶୋଇ, ଛାତ୍ର କଂଗ୍ରେସ ନେତା ଅରବିନ୍ଦ ପାଢ଼ୀ, ନିଶିକାନ୍ତ ବେହେରା,ଜୀବନ ଜ୍ୟୋତିପ୍ରକାଶ ରାଉତ, ନିଜମୁଦ୍ଦିନ ଖାଁଙ୍କ ସମେତ ଯୁବଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ।
