ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଦଳୀୟ ଅରଟ ଚିହ୍ନିତ ପତାକା ସ୍ଥାନୀୟ ଛାୟାପଥ ଖେଳପଡିଆ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସେବାଦଳ କର୍ମୀମାନଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ। ମଧ୍ୟାହ୍ନରେ ଗଣିଆ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ସ୍ନାନ କରାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।

ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ୧୮୮୫ ଡିସେମ୍ବର ୨୮ ତାରିଖ ମୁମ୍ବାଇର ଗୋକୁଳଦାସ ତେଜପାଳ ସଂସ୍କୃତ ମହାବିଦ୍ୟାଳୟରେ କଂଗ୍ରେସ ଦଳ ସୃଷ୍ଟି ହୋଇ ୧୯୨୦-୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଅସ୍ତ୍ରରେ ଇଂରେଜ ମାନଙ୍କ ଶାସନ ହଟାଇ ଭାରତବର୍ଷ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପାଇ ଆଜି ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି, ସେଥିପାଇଁ ଗାନ୍ଧିଜୀ ଏବଂ ପଣ୍ଡିତ ନେହେରୁଙ୍କ ଟ୍ୟାଗ ବଳିଦାନ ପାଇଁ ସମ୍ଭବ ହୋଇ ପାରିଥିବା କହିଥିଲେ। ପୁଣିଥରେ ଦଳକୁ ଗାନ୍ଧିଜୀଙ୍କ ନୀତିଆଦର୍ଶରେ ଦଳକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ବୈଜୟନ୍ତୀମାଳା ମହାନ୍ତି, ବରିଷ୍ଠ ନେତା ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ନାରାୟଣ ସାହୁ, ନିର୍ମଳ ଚନ୍ଦ୍ର ରଥ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ହାଲିମ ଖାଁ, ପ୍ରଦୀପ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗଣିଆ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

