ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରତିଫଳନ: ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା, ବିଜ୍ଞାନର ମେଳାରେ ୧୩୬ ପ୍ରକଳ୍ପର ପ୍ରଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ୩୫ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଉପ-ନିର୍ଦ୍ଦେଶିକା ବିନିତା ସେନାପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ ଓ ନୟାଗଡ ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ।
ଲାଠିପଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବିଜ୍ଞାନ ମେଳାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ସହ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ନ କରାଗଲେ ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ।


ଏହି ବିଜ୍ଞାନ ମେଳାର ମୁଖ୍ୟ ଥିମ ଥିଲା “ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ”। ଜିଲ୍ଲାର ୮ଟି ବ୍ଲକରୁ ମୋଟ ୧୩୬ଟି ପ୍ରକଳ୍ପ ଏଥିରେ ଅଂଶଗ୍ରହଣ କରିଥିଲା। ପ୍ରତ୍ୟେକ ବ୍ଲକରୁ ବାଲ ବୈଜ୍ଞାନିକ ଶ୍ରେଣୀରୁ ଶ୍ରେଷ୍ଠ ୭ଟି, ପରିବେଶ ଭିତ୍ତିକ ୭ଟି ଓ ଉପ-କନିଷ୍ଠ ବିଭାଗରୁ ଶ୍ରେଷ୍ଠ ୩ଟି ପ୍ରକଳ୍ପ ଚୟନ କରାଯାଇଥିଲା।

ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଓ ସମ୍ମାନିତ ଅତିଥି ଭାବେ ନୟାଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ।

ମେଳାର ସଫଳ ଆୟୋଜନ ପାଇଁ ଶିକ୍ଷା ବିଭାଗ, ଶିକ୍ଷକମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନ ସାଧାରଣଙ୍କ ପ୍ରଶଂସା ଅର୍ଜନ କରିଛନ୍ତି। ଏହାର ସଫଳ ପରିଚାଳନାରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ଶିକ୍ଷକ ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି, ଅଞ୍ଚଳବାସୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

Related posts