ରେଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାରେ ନାହିଁ ଷ୍ଟ୍ରିଟ ଲାଇଟ, ଅସୁରକ୍ଷିତ ରାତ୍ର ଫେରନ୍ତା ଯାତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ଷ୍ଟେସନ ପାର୍ଶ୍ଵସ୍ଥ ନୟାଗଡ଼-ଖଣ୍ଡପଡା ରାଜ୍ୟ ରାଜପଥ ଉପରେ ନିର୍ମିତ ରେଳ ଓଭରବ୍ରିଜର ଉଭୟ କଡରେ ମୁଖ୍ୟ ରାସ୍ତାରୁ ବାହାରି ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ଅଦ୍ୟାବଧି ଷ୍ଟ୍ରିଟ ଲାଇଟ ଲାଗିନାହିଁ। ଫଳରେ ରାତ୍ର ହେଲେ ଏହି ରାସ୍ତା କିଟି କିଟି ଅନ୍ଧାର ହୋଇଥାଏ। ଓଭରବ୍ରିଜ ତଳ ଏବଂ ଏହି ରାସ୍ତା ଦୁଇଟି ନିର୍ଜନ ଅଞ୍ଚଳ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ଲୋକମାନେ ଏଠାରେ ଗଂଜେଇ,ଅଫିମ, ବ୍ରାଉନ ସୁଗାର, ମଦ୍ୟପାନ ଆଦି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ଏହି ନିର୍ଜନ ଅନ୍ଧାର ରାସ୍ତା ଦେଇ ରାତ୍ରରେ ଫେରୁଥିବା ରେଳଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ଅଧିକାଂଶ ସମୟରେ ଲୁଟତରାଜର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନ୍ଧାରରେ ଝୁଣ୍ଟି  ଅଧିକାଂଶ ଯାତ୍ରୀ ଖଣ୍ଡିଆ ଖାବର ହୋଇ ଆହତ ହେଉଥିବା ଜଣା ପଡିଛି।  ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ରେଳ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏହି ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବା କାମ ମୁନିସିପାଲିଟିର ବୋଲି କହି ନିଜ ଦାୟିତ୍ୱ ଖସେଇ ଦେଇଥିଲା। ଅପରପକ୍ଷରେ ମୁନିସିପାଲିଟି ମଧ୍ୟ ଏହି କାମ ରେଳ ବିଭାଗର କହି ଚୁପ ରହୁଛି। ତେବେ ଉଭୟ ବିଭାଗର ଟଣାଓଟରା ଯୋଗୁଁ ଏଠାରେ ଷ୍ଟ୍ରିଟ ଲାଇଟ ଲାଗିପାରୁ ନଥିବା ବେଳେ ରାତ୍ର ଫେରନ୍ତା ଯାତ୍ରୀମାନେ ନାହିଁ ନଥିବା ଆସିବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଉଭୟ ରେଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏଠାରେ ଲାଇଟ ଲଗାଇବାର ବ୍ୟବସ୍ଥା କରନ୍ତୁ ବୋଲି ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଦାବି କରିଛନ୍ତି।

Related posts