ପଙ୍କୁଆ-କଳସାଖମଣ ରାସ୍ତା କଡ଼ରୁ ମିଳିଥିବା ମୃତ ଯୁବକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କଲା ଦଶପଲ୍ଲା ପୋଲିସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଚଡ଼େୟାପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ଗତ ୨୭ତାରିଖ ପୂର୍ବାହ୍ଣରେ ପଙ୍କୁଆ–କଳସାଖମଣ ରାସ୍ତାର ଉଦୁଡ଼ା ନିକଟରୁ ପୋଖରୀଗୋଛା ପଞ୍ଚାୟତ ଚିନାପହଁରା ଗ୍ରାମର ହରି ଥାଟେଇ(୨୩)ଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ହରି ବ୍ରହ୍ମପୁରର ଏକ ଏକାଡ଼େମିକରେ ରହି ସୈନ୍ୟ ବାହିନୀରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଘରକୁ ଫରିବା ରାସ୍ତାରେ ହଠାତ୍ ମୃତଦେହ ପଡ଼ିବା ଘଟଣା ଯେକୈାଣସି ବ୍ୟକ୍ତିଙ୍କ ମନକୁ ସନ୍ଦେହ ଆଣିଥିଲା। ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ପ୍ରାଥମିକ ଭାବେ ଯେକେହି ମାଓବାଦୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା। ମାତ୍ର ହରିଙ୍କ ପ୍ୟାଣ୍ଟ ପକେଟରୁ ଜବତ ହୋଇଥିବା ମୋବାଇଲକୁ ନେଇ ପୁଲିସ ସିଡ଼ିଆର୍ ଯାଞ୍ଚ କରିବା ପରେ ମୃତ୍ୟୁ ଉପରୁ ପରଦା ହଟିଛି।

ମାଓବାଦୀ ନୁହେଁ ବରଂ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ପ୍ରେମିକାଙ୍କ ଘରଠାରୁ ମାତ୍ର ୨ଶହ ମିଟର ଦୂରରେ ବିଛା ଯାଇଥିବା ବିଦ୍ୟୁତ୍ ଫାଶରେ ସେ ଫଶି ଯାଇଥିଲେ। ଯାହାକି ପ୍ରେମିକାଙ୍କ ଆଖି ସାମ୍ନାରେ ଜଳିଜଳି ପ୍ରାଣବାୟୁ ଉଡ଼ି ଯାଇଥିଲା। ଏପଟେ ପ୍ରେମିକା ମଧ୍ୟ ତାଙ୍କୁ ବଞ୍ଚାଇବାକୁ ବହୁ ଉଦ୍ୟମ କରି ବିଫଳ ହେବାପରେ ଘରକୁ ଦୈାଡ଼ିଯାଇ ସବୁକଥା କହିଥିଲେ। ଘଟଣାସ୍ଥଳରେ ପରିବାର ଲୋକ ଓ ଶିକାରୀ ମାନେ ପହଞ୍ଚିବା ବେଳକୁ ସବୁକିଛି ସରି ଯାଇଥିଲା। ଏଭଳି ସ୍ଥିତିରେ ଶିକାରୀ ମାନେ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ମୃତଦେହକୁ ବାଉଁଶ ବାହି ସାହାର୍ଯ୍ୟରେ ଭାରାକରି ଆଣିବା ସହ ଘଟଣାସ୍ଥଳରୁ ୧୦ କିମି ବାଇକରେ ଆଣି ରାସ୍ତାକଡ଼ରେ ପକାଇଦେଇ ଚାଲି ଯାଇଥିଲେ।
ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେହେଲେ ତାରସିଂ ଥାନା ଅଧୀନସ୍ଥ ବୁଢ଼ାବାରୀ ଗ୍ରାମ ତଥା ଗାମିଶିରି ଗ୍ରାମର ଜ୍ଜାଇଁ ସୁଶାନ୍ତ କୁମାର ବେହେରା ଓରଫ୍ ଲଣ୍ତା (୨୮), କରଣାବଣି ଗ୍ରାମର ମହେନ୍ଦ୍ର ମାଝି ଓରଫ୍ ଧୁନ୍ଦୁ (୪୦), ଗାମିଶିରି ଗ୍ରାମ ତଥା ପ୍ରେମିକାର ଦାଦା ପ୍ରମୋଦ ଭୋଇ ଓରଫ ପେଟୁ (୪୨) ଏବଂ ସଂକୀର୍ତ୍ତନ ମାଝି(୪୪)। ଏପଟେ ଶିକାର ପାଇଁ ପ୍ରବର୍ତ୍ତାଇ ବିଦ୍ୟୁତ୍ ତାର ବିଛାଇଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭୋଗବାଡ଼ି ଗ୍ରାମର କଜିଆ ଫେରାର୍ ରହିଛି। ଗତକାଲି ଅଭିଯୁକ୍ତ ମାନେ ଡ଼େମୋ ଦେଖାଇଥିବା ବେଳେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି।

ପ୍ରେମିକର ମୃତ୍ୟୁପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ପ୍ରେମିକା
ପୁଲିସ ମୃତ ହରିଙ୍କ ମୋବାଇଲ୍ ନମ୍ବରକୁ ନେଇ ସିଡ଼ିଆର୍ ଯାଞ୍ଚ ସମୟରେ ହରିଙ୍କ ଶେଷକଥା ତାଙ୍କ ପ୍ରେମିକାଙ୍କ ସହ ହୋଇଥିବା ଜାଣିବାକୁ ପାଇଥିଲା। ରାତି ୧୦ଟା ୧୩ ମିନିଟରେ ପ୍ରମିକାଙ୍କ ସହ ୧୯୮ ସେକେଣ୍ତର ବାର୍ତ୍ତାଳାପ ସାଙ୍ଗକୁ ଉଭୟଙ୍କ ଗୋଟିଏ ସ୍ଥାନର ଲୋକେସନ୍ ମଧ୍ୟ ଦେଖାଇଥିଲା। ଯାହାକି ପୁଲିସ ପାଇଁ ଏହି ପ୍ରମାଣ ଯଥେଷ୍ଟ ଥିଲା।
ଘଟଣା ସମ୍ପର୍କରେ ପ୍ରେମିକା ଓ ପରିବାର ଲୋକଙ୍କୁ ଡ଼ାକି ପଚରାଉଚରା କରାଯାଇଥିଲା। ହେଲେ ଘଟଣାକୁ ସେମାନେ ଲୁଚାଇବାକୁ ବହୁ ଉଦ୍ୟମ କରିଥିଲେ। ଯାହାକି ଗତ ୨ମାସ ହେଲା ମୋବାଇଲ ହଜି ଯାଇଥିବା କହିଥିଲେ। ଏହାପରେ କ୍ରମାଗତ ଜେରାପରେ ପୁଲିସ ନିକଟରେ ପ୍ରେମିକା ଓ ତାର ବାପା ସତ ମାନି ଯାଇଥିଲେ। ପ୍ରେମିକାଙ୍କ ଗତ ୨୩ ତାରିଖରେ ଅନ୍ୟ ଜଣେ ପୁରୁଷଙ୍କ ସହ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା। ଶେଷଥର ଦେଖା କରିବା ପାଇଁ ପ୍ରେମିକଙ୍କୁ ସମୟ ଦେଇଥିବା ବେଳେ ଆଖି ସାମ୍ନାରେ ସେ ଜଳି ଯାଉଥିବା ଦେଖି ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଶେଷରେ ବିଫଳ ହେବାରୁ ପରିବାର ଲୋକଙ୍କୁ ଧାଇଁଯାଇ ଜଣାଇଥିଲେ। ମାତ୍ର ସେ ଆଉ ନଥିବା ଜାଣିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ବଞ୍ଚାଇଥିବା ପୁଲିସ କହିଛି।

ଶବ ବୋହିବା ପାଇଁ ପ୍ରେମିକାର ଦାଦା କରିଥିଲେ ଏସକର୍ଟ
ହରିଙ୍କ ମୃତ୍ୟୁ ପରେ ତାର ବିଛାଇଥିବା ଶିକାରୀ ଓ ପରିବାର ଲୋକ ଘଟଣାକୁ ଲୁଚାଇବାକୁ ଉପାୟ ପାଞ୍ଚି ଥିଲେ। ମୃତଦେହକୁ ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ପ୍ରାୟ ୨ ଶହ ମିଟର ଏକ ୯ ଫୁଟିଆ ବାଉଁଶର ସାହାରା ନେଇଥିଲେ। ଅଭିଯୁକ୍ତ ଲଣ୍ତା ଓ ଧୁନ୍ଦୁ ବାଉଁଶ ସାହାର୍ଯ୍ୟରେ ବାହିକରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଶବକୁ ଆଣିଥିଲେ। ଏହାପରେ ହରିଙ୍କ ବାଇକରେ ଉଭୟ ମୃତ ଦେହକୁ ବସାଇଥିଲେ। ଆଗରେ କିଏ ଦେଖିଦେବ ବୋଲି ପ୍ରେମିକାର ଦାଦାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ଅନ୍ୟଏକ ଗାଡ଼ିରେ ଏସକର୍ଟ କରି ଆସିଥିଲେ। ଶେଷରେ ଉଦୁଡ଼ା ଠାରେ ରାସ୍ତାକଡ଼ରେ ଶବକୁ ପକାଇବା ସହ ବାଇକ, ହେଲମେଟ୍ ଓ ଏୟାର୍ ବ୍ୟାଗକୁ ରଖି ଚାଲି ଯାଇଥିଲେ।
