ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଶରଣକୁଳ ଗୁଡିଆ ସାହିର ବାସିନ୍ଦା ପ୍ରମୋଦ ଚନ୍ଦ୍ର ସାହୁ(୫୨) ସେପ୍ଟେମ୍ବର ୨୩ ତାରିଖ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଅବସରରେ ତାଙ୍କ ସହପାଠୀମାନଙ୍କ ତରଫରୁ ସ୍ଥାନୀୟ ଶରଣକୁଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପ୍ରମୋଦ ଚନ୍ଦ୍ର ସାହୁଙ୍କ ଜୀବନଶୈଳୀ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସହପାଠୀ ମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପ୍ରଥମେ ସମସ୍ତ ସହପାଠୀ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେ ୧୯୮୮ ମସିହାର ମାଟ୍ରିକ ବ୍ୟାଚ୍ ଛାତ୍ର ଥିଲେ। ସ୍ବର୍ଗତ ପ୍ରମୋଦ ଜଣେ ମିଷ୍ଟଭାଷୀ, ଦାୟିତ୍ବ ସମ୍ପନ୍ନ ଓ ଦରଦୀ ହୃଦୟର ବ୍ୟକ୍ତି ଥିଲେ। ସେ ନୟାଗଡ ଜିଲ୍ଲା ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିରାଣୀ ଚାକିରୀରେ କାର୍ଯ୍ୟକରୁ ଥିଲେ। ସେ କେଏସବି ପବ୍ଲିକ ସ୍କୁଲ ପରିଚାଳନା କମିଟିର ଜଣେ ସକ୍ରୀୟ ସଦସ୍ୟ ଥିଲେ। ସେ ନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହିତ ସମାଜସେବା କରିବା ଲାଗି ବିଭିନ୍ନ ସଂଗଠନରେ ସାମିଲ ହୋଇ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି, ସହପାଠୀମାନଙ୍କ ସହିତ ଥିବା ସମ୍ପର୍କ ଚିରସ୍ମରଣୀୟ ହୋଇ ରହିବ ବୋଲି ସ୍ମୃତି ଚାରଣ ସଭାରେ ସହପାଠୀ ମାନେ ସ୍ମୃତି ଚାରଣ କରିଥିଲେ। ସ୍ମୃତି ଚାରଣ ସଭା ଶେଷ ହେବା ପରେ ସମସ୍ତ ସହପାଠୀ ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଆଶ୍ଵାସନା ପ୍ରଦାନ କରିଥିଲେ।
ପ୍ରମୋଦ ଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ ସଭା
